ସବୁ କେନ୍ଦ୍ରୀୟ ଯୋଜନାର ଅର୍ଥ ପାଇଁ ନୂଆ ନିୟମ, ଚାରି କିସ୍ତିରେ ମିଳିବ ଟଙ୍କା

ଭୁବନେଶ୍ୱର: କେନ୍ଦ୍ରୀୟ ଯୋଜନା ପାଇଁ ଏଣିକି ନୂଆ ବ୍ୟବସ୍ଥାରେ ରାଜ୍ୟକୁ ଅର୍ଥ ମିଳିବ । ଗୋଟିଏ କି ଦୁଇଟି ନୁହେଁ, ୪ଟି କିସ୍ତିରେ ରାଜ୍ୟକୁ ମିଳିବ କେନ୍ଦ୍ରୀୟ ଯୋଜନାର ଅର୍ଥ । ପ୍ରଥମ କିସ୍ତିର ବିନିଯୋଗ ପ୍ରମାଣପତ୍ର ଦେଲେ ମିଳିବ ଦ୍ୱିତୀୟ କିସ୍ତି । ଏବାଦରେ  ରାଜ୍ୟ ସରକାର ମାସିକ ରିପୋର୍ଟ ବି ଦେବେ । ଏନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ମନ୍‌ମାନି ଉନ୍ନୟନ କାର୍ଯ୍ୟରେ ବାଧା ଦେବା ସାଙ୍ଗକୁ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛି । ସେପଟେ ବିଜେପି କହିଛି, ଏହାଦ୍ୱାରା ବ୍ୟବସ୍ଥା ଅଧିକ ଚଳଚଞ୍ଚଳ ହେବ  ।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍ଏସ୍‌) ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଅନୁଦାନ ପାଇଁ ନୂଆ ସର୍ତ୍ତ । କୌଣସି ଯୋଜନା ପାଇଁ ଏଣିକି ୪ଟି କିସ୍ତିରେ ମିଳିବ କେନ୍ଦ୍ରୀୟ ଅନୁଦାନ। ପ୍ରଥମ କିସ୍ତି ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ଦେଲେ ଦ୍ୱିତୀୟ କିସ୍ତି ମିଳିବ। ତା’ ସାଙ୍ଗକୁ ପ୍ରତ୍ୟେକ ଯୋଜନା ପାଇଁ ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ବାଧ୍ୟତାମୂଳକ  । ପ୍ରତି ଯୋଜନା ପାଇଁ ନୋଡାଲ ଅଫିସର ରହିବେ । ଏଭଳି ବ୍ୟବସ୍ଥା ଦ୍ୱାରା ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ବିଜେଡି କହିଛି । କେନ୍ଦ୍ରୀୟ ଯୋଜନା ପାଇଁ ଠିକ ସମୟରେ ଅର୍ଥ ମିଳୁନଥିବା ବେଳେ ଏବେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟଙ୍କ ସହ କୌଣସି ପରାମର୍ଶ ନକରି ଏପରି ସର୍ତ୍ତ ରଖିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । କଂଗ୍ରେସ ବିଧାୟକ ମଧ୍ୟ ସମାଲୋଚନା କରିଛନ୍ତି ।

ସେପଟେ ରାଜ୍ୟର ସ୍ୱାର୍ଥ ବଦଳରେ ରାଜ୍ୟ ବିଜେପି କେନ୍ଦ୍ର ସରକାରଙ୍କ ପାଇଁ ଓକିଲାତି କରିଛି ।  ଏହାଦ୍ୱାରା ଯୋଜନାର ଉଦ୍ଦେଶ୍ୟ ସାଧିତ ହେବ ବୋଲି ଯୁକ୍ତି ବାଢ଼ିଛି ବିଜେପି । ରାଜ୍ୟରେ ଏବେ ୩୨ଟି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଚାଲିଛି। ଠିକ ସମୟରେ ଅର୍ଥ ଆସୁନଥିବା ବେଳେ କେନ୍ଦ୍ରୀୟ ଅନୁଦାନ ପାଇଁ ଏଭଳି ନିୟମ କରୋନା ମହାମାରୀ ସମୟରେ ଅଧିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ଅଛି ।

Leave a Reply