ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ଖୋଲିବ ନାହିଁ ନୂଆ ଅଫ୍ ସପ୍ ମଦ ଦୋକାନ

1 min read

ଭୁବନେଶ୍ୱର: ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି । ଅବକାରୀ ବିଭାଗ ପକ୍ଷରୁ ଜାରି ହେଲା ନୂଆ ନିୟମ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହା ସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ପାଇଁ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲ ଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ ।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ ତାରିଖରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦ ଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍‌, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ । ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି ।