spot_img

Latest Posts

ଭାରତ- ଜର୍ମାନୀ ମଧ୍ୟରେ ଆରମ୍ଭ ହେଲା ନୂତନ ଯୁଗ: ୮ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ଭାରତ- ଜର୍ମାନୀ ମଧ୍ୟରେ ଆରମ୍ଭ ହେଲା ନୂତନ ଯୁଗ। ଦ୍ଵିପାକ୍ଷିକ ସମ୍ପର୍କ ନେଇ ପିଏମ ମୋଦିଙ୍କ ସହ ଆଲୋଚନା କରିଛନ୍ତି ଜର୍ମାନୀ ଚାନ୍ସେଲର ଫ୍ରେଡରିକ୍ ମର୍ଜ। ଜର୍ମାନୀ ସହ ୮ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷର କରିଛି ଭାରତ। ଜର୍ମାନୀ ସହ ମିଶି ଭାରତ ପ୍ରସ୍ତୁତ କରିବ ୬ଟି ଯୁଦ୍ଧପୋତ। ଜର୍ମାନୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଲଢୁଆ ବୁଡ଼ାଜାହାଜ ପାଇବ ଭାରତୀୟ ନୌସେନା। ମୁମ୍ବାଇ ସ୍ଥିତ ମାଜାଗନ୍ ଡକୟାର୍ଡସ୍ ଲିମିଟେଡ୍ ଏବଂ ଜର୍ମାନୀର ପ୍ରତିରକ୍ଷା କମ୍ପାନୀ ଥାଇସେନକୃପ ମେରାଇନ ସିଷ୍ଟମ୍ସ TKMS ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର କୋଟି ଟଙ୍କା ମୂଲ୍ୟର ଏହି ଚୁକ୍ତି ଭାରତୀୟ ନୌସେନା ଇତିହାସର ସବୁଠାରୁ ବଡ଼ ବୋଲି ବିବେଚନା କରାଯାଉଛି। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ପ୍ରୋତ୍ସାହନ ଦେବ। ଏହି ଡିଲ ଦ୍ଵାରା ଭାରତ ମହାସାଗରରେ ଭାରତର ସାମୁଦ୍ରିକ ନିରୀକ୍ଷଣ, ପ୍ରତିରୋଧ ଏବଂ ରଣନୈତିକ ସନ୍ତୁଳନ ଆହୁରି ସୁଦୃଢ଼ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଓ ଜର୍ମାନୀ କେବଳ ଆର୍ଥିକ ଅଂଶୀଦାର ନୁହଁନ୍ତି ବରଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ ।

ଜର୍ମାନ ଚାନ୍ସଲର ଫ୍ରେଡ୍ରିକ ମର୍ଜଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷରିତ ହେବ। ଆଜି ଉଭୟ ନେତା ପ୍ରଥମେ ଗାନ୍ଧିନଗରରେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଏହାପରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଚାନ୍ସଲର ମର୍ଜ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଶି ଗୁଡ଼ି ଉଡ଼ାଇଥିଲେ। ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କ ଗସ୍ତ ବର୍ତ୍ତମାନ ସମୟରେ ଅନେକ ଗୁରୁତ୍ଵ ବହନ କରୁଛି। ଦୁଇ ଦେଶ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ସହଯୋଗକୁ ଏହା ଆହୁରି ମଜଭୁତ କରିବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାନ୍ସେଲର ମର୍ଜଙ୍କ ମଧ୍ୟରେ ଶେଷ ସାକ୍ଷାତ G7 ଶିଖର ସମ୍ମିଳନୀରେ ହୋଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ମର୍ଜଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଥିଲେ। ଭାରତ-ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷରେ ପଦାର୍ପଣ କରିଥିବାବେଳେ ରଣନୈତିକ ସହଭାଗିତା ୨୫ ବର୍ଷ ପୂରଣ କରିଛି ।

Latest Posts

Don't Miss