ନୂତନ ଶିକ୍ଷା ନୀତି ପାଇଁ ନାମଲେଖାରେ ବାଧା, ପ୍ରଥମ ଶ୍ରେଣୀ ପାଇଁ ବୟସ ଦ୍ୱନ୍ଦ୍ୱ

ନନ୍ଦିଘୋଷ ବ୍ୟୁରୋ: ନୂତନ ଶିକ୍ଷା ନୀତି ପାଇଁ ନାମଲେଖାରେ ବାଧା। ପ୍ରଥମ ଶ୍ରେଣୀ ପାଇଁ ବୟସ ଦ୍ବନ୍ଦ୍ବ। ରାଜ୍ୟକୁ ସାଥୀରେ ନେଇ ହୋଇନଥିଲା କି ନୂତନ ଶିକ୍ଷା ନୀତି ? କେନ୍ଦ୍ରର ଚଞ୍ଚକତା ପାଇଁ ଅନ୍ଧାରରେ ଶିକ୍ଷା ବ୍ୟବସ୍ଥା। ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଆରମ୍ଭ ହୋଇଛି। ଏଥିସହ ନାମଲେଖା ବି ଆରମ୍ଭ ହୋଇଛି। ହେଲେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ପାଇଁ ପ୍ରଥମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ନାମଲେଖାରୁ ବାଦ୍ ପଡ଼ିଛନ୍ତି। ଶିକ୍ଷା ନୀତି ପ୍ରସ୍ତୁତି ବେଳେ ସବୁ ରାଜ୍ୟର ମତାମତକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଇ ନଥିବା ବାରମ୍ବାର ଅଭିଯୋଗ ହୋଇଥିଲା।
ଏବେ ନାମଲେଖାରେ ବୟସ ସୀମା କଣ୍ଟା ସାଜିଛି। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ପ୍ରତି ବର୍ଷ ପ୍ରଥମ ଶ୍ରେଣୀରେ ୫ବର୍ଷ ବୟସ୍କ ପିଲାଙ୍କ ନାମଲେଖା ହେଉଥିଲା। ହେଲେ ନୂତନ ଜାତୀୟ ଶିକ୍ଷା ନୀତି ୬ବର୍ଷରୁ ଅଧିକ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନିୟମ କରିଛି । ୫ ବର୍ଷ ନା ୬ ବର୍ଷ ! ଏନେଇ ଦ୍ବନ୍ଦ୍ବରେ ପ୍ରାଥମିକ ଶିକ୍ଷକ। ରାଜ୍ୟ ସରକାରଙ୍କୁ ମାନି ନାମଲେଖାଇବେ ନା ନୂତନ ଜାତୀୟ ଶିକ୍ଷା ନୀତିକୁ ମାନିବେ। ସେନେଇ କିଛି ସ୍ଥିର ନକରି ପାରି ୫ବର୍ଷ ପିଲାଙ୍କ ନାମଲେଖା କରିପାରୁ ନାହାନ୍ତି।
ତେବେ ରାଜ୍ୟ ସରକାର ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜିଠାରୁ ନାମଲେଖା ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ, ଏପ୍ରିଲ ୮ ପରେ ବି ନାମଲେଖା ହୋଇପାରେ। ତେବେ କ୍ଲାସ ପ୍ରମୋସନ ପରୀକ୍ଷା ଫଳ ବାହାରିବା ପରେ ନୂତନ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଛାତ୍ରଛାତ୍ରୀ । ଅଭିଭାବକ ଓ ଶିକ୍ଷକମାନେ ପୂର୍ବରୁ ରାଜ୍ୟ ସରକାରଙ୍କ ୫ ବର୍ଷ ବୟସ ନିୟମ ସହ ପରିଚିତ। ସେଥିପାଇଁ ସେମାନେ ୫ବର୍ଷ ବୟସକୁ ଅଗ୍ରାଧିକାର ଦେଉଛନ୍ତି। ହେଲେ କେନ୍ଦ୍ରୀୟ ନୀତି ଯୋଗୁ କୁନି ପିଲାଙ୍କ ବର୍ଷେ ବରବାଦ ହେବାକୁ ଯାଉଛି।