କୋଳରେ ଛୁଆକୁ ଧରି ଷ୍ଟେସନରେ ଭିଡକୁ ଜଗିଛି ମାଆ
1 min read
ନନ୍ଦିଘୋଷ ବ୍ୟୁରୋ: ମା ତୁଝେ ସଲାମ..ହୁଏତ ଏହି ଶବ୍ଦ ସେ ମା’ ରୀନା ପାଇଁ…ହାତରେ ନବଜାତ ଆଖିଆଗରେ ଭୟଙ୍କର ପରିସ୍ଥିତି । ତଥାପି ନିର୍ଡର ଭାବରେ ଛିଡାହେଇଥିଲେ ରୀନା । ଗୋଟିଏ ଜୀବନ ଦୁଇଟି କର୍ମ । ଆଜ୍ଞ ହଁ ଗୋଟେ ପଟେ ଦେଶକୁ ଦେଇଥିବା ପ୍ରତିଶ୍ରୁତି ଓ ଅନ୍ୟପଟେ ଛୁଆକୁ ଦେଇଥିବା ପ୍ରତିଶ୍ରୁତି । ଦୁଇଟି କର୍ତ୍ତବ୍ୟକୁ ଖୁବ ନିଖୁଣ ଭାବରେ ତୁଲାଇଥିଲେ ରୀନା । ଘଟଣାଟି ଥିଲା ଏମିତି ଯାହା ରୀନାଙ୍କୁ ସାଲ୍ୟୁଟ ମାରିବାକୁ ବାଧ୍ୟ କରେଇଛି ।
ଗତ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ଖଚାଖଚ ଭିଡ । ସମସ୍ତଙ୍କର ଗନ୍ତବ୍ୟସ୍ଥଳ ହେଉଛି ମହାକୁମ୍ଭ । ହଠାତ ଏକ ଘୋଷଣା ହେଲା କୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ହୋଇଛି । ଶବ୍ଦଟି ଯେତେବେଳେ ସମସ୍ତଙ୍କ କାନରେ ପଡିଲା ସିଡ଼ିରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଭିଡ଼ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । ଲୋକମାନେ ଟ୍ରେନ ଛୁଟିବା ଭୟରେ ଟ୍ରେନ୍ ଧରିବା ପାଇଁ ଦୌଡ଼ିବାକୁ ଲାଗିଲେ। କିଛି ସମୟ ମଧ୍ୟରେ, ବିଶୃଙ୍ଖଳା ଏତେ ତୀବ୍ର ହୋଇଗଲା ଯେ ଏହା ଦଳାଚକଟାର ରୂପ ନେଇଗଲା ଆଖି ପିଛୁଳାକେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଆରମ୍ଭ ହୋଇଗଲା । ରେଳବାଇ ପ୍ରଶାସନ ଦଳାଚକଟାକୁ ରୋକିବା ପାଇଁ ଚେଷ୍ଟା କରିବାରେ ବ୍ୟସ୍ତ ଥିଲେ। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ୧୮ ଜଣ ଲୋକ ପ୍ରାଣ ହରାଇସାରିଥିଲେ ।
ତେବେ ଏହାରି ଭିତରେ ଏକ ଚିତ୍ର ଲୋକଲୋଚନକୁ ଆସିଥିଲା ଯାହା ଲୋକଙ୍କୁ ଜଣେ ମାଆର କାର୍ଯ୍ୟ ଏବଂ କର୍ତ୍ତବ୍ୟ ମନେ ପକାଇ ଦେଇଥିଲା । ଜଣେ ମହିଳା RPF ଯବାନଙ୍କୁ ଡବଲ୍ ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଥିଲା । ଗୋଟିଏ ତାଙ୍କ ଛୁଆ ପାଇଁ ଏବଂ ଅନ୍ୟଟି ତାଙ୍କ ଚାକିରି ପାଇଁ । ସେ ତାଙ୍କର ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିବାକୁ ଚେଷ୍ଟା କରିଥିଲେ।
RPF ମହିଳା କିଏ ?
ପ୍ରକୃତରେ, ସେ ବୀର ନାରୀ ହେଉଛନ୍ତି ରୀନା । ସେ RPFରେ କାର୍ଯ୍ୟରତ । ଡ୍ୟୁଟି ସମୟରେ ରେଳ ପ୍ଲାଟଫର୍ମରେ ଦଳାଚକଟାକୁ ରୋକିବା ପାଇଁ କନଷ୍ଟେବଳ ରୀନା ଯାତ୍ରୀମାନଙ୍କୁ ସଚେତନ କରୁଛନ୍ତି। ସେ ତାଙ୍କ ନବଜାତ ଶିଶୁକୁ ଛାତିରେ ଜାବୁଡି ଧରିଛନ୍ତି । ପିଲାଟିକୁ କୋଳରେ ବୋହି ନିଜର କର୍ତ୍ତବ୍ୟ ପାଳନ କରି, ରୀନା ‘ନାରୀ ଶକ୍ତିର ପ୍ରଦର୍ଶନ କରୁଛନ୍ତି । RPF କନଷ୍ଟେବଳ ରୀନା କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଲେ।
ସମସ୍ତେ ତାଙ୍କୁ ସାଲ୍ୟୁଟ୍ କରୁଥିଲେ
ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହି ମହିଳାଙ୍କୁ ଦେଖିବା ପରେ ଲୋକମାନେ ତାଙ୍କୁ ସାଲ୍ୟୁଟ୍ କରୁଥିଲେ। ଏହି ମହିଳା ସୈନିକଙ୍କୁ କୋଳରେ ଏକ ପିଲାକୁ ଧରି ଡ୍ୟୁଟିରେ ଥିବା ଏବଂ ଲୋକମାନଙ୍କୁ ସଚେତନ କରୁଥିବା ଦେଖିବା ପରେ, ସାଧାରଣ ଲୋକମାନେ ତାଙ୍କୁ ସାଲ୍ୟୁଟ୍ କରୁଥିବାର ଦେଖାଯାଇଥିଲା । ଏପରି ଭୟଙ୍କର ଦଳାଚକଟା ବେଳେ ମଧ୍ୟ ସେ ତାଙ୍କ ଡ୍ୟୁଟିରୁ ନିବୃତ୍ତ ହେଇନଥିଲେ । ଭିଡ ଭିଡରେ ଛୁଆକୁ ଧରି ସେ ତଶଙ୍କର କାର୍ଯ୍ୟ କରୁଥିଲେ । ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି ।
ଘଟଣାଟି କିପରି ଘଟିଲା
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ଯିବା ପାଇଁ ଟ୍ରେନ୍ ଧରିବା ଆଶାରେ ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ପ୍ଲାଟଫର୍ମ ନମ୍ବର ୧୪-୧୫ ରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଏହି ଘଟଣାଟି ଘଟିଥିଲା। ମହାକୁମ୍ଭ ଯିବା ପାଇଁ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଲା, ଯାହା ଫଳରେ ଭିଡ଼ ଏବଂ ବିଶୃଙ୍ଖଳାର ପରିସ୍ଥିତି ସୃଷ୍ଟି ହେଲା। ଏହି ସମୟରେ ଦଳାଚକଟା ହୋଇଥିଲା।
ଶନିବାରେ ଦିଲ୍ଲୀରେ ଘଟିଥିବା ଦଳାଚକଟା ପରେ, ରେଳବାଇ ସତର୍କ ହୋଇଯାଇଛି । RPF ନିୟୋଜିତ ବୃଦ୍ଧି କରାଯାଇଛି । କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ RPF ଏବଂ ଦିଲ୍ଲୀ ପୋଲିସ ପ୍ରସ୍ତୁତ ଅଛନ୍ତି । ରବିବାର, ଫେବୃଆରୀ ୧୬ ତାରିଖରେ, RPF ଏବଂ ଦିଲ୍ଲୀ ପୋଲିସ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ସତର୍କ କରାଯାଇଛି ।