ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ପରେ ଦେଖନ୍ତୁ କେମିତି ଥିଲା ସେହି ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନଂ ୧୩ ଏବଂ ୧୪ରେ ହୋଇଥିଲା ଭୟଙ୍କର ଦଳାଚକଟା । ପ୍ରୟାଗରାଜ ଯାଉଥିବା ଦୁଇଟି ଟ୍ରେନ୍ ପ୍ଲାଟଫର୍ମ ନଂରେ ପରିବର୍ତ୍ତନ ହୋଇଥିବା ଗୁଜବ ପ୍ରଚାର ହେବା ପରେ ପ୍ଲାଟଫର୍ମରେ ଆରମ୍ଭ ହୋଇଯାଇଥିଲା ପ୍ରବଳ ଠେଲାପେଲା । ଏହି ଦୁର୍ଘଟଣାରେ ୧୮ଜଣଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷ ଏକ ବିଶେଷ ଟ୍ରେନର ବ୍ୟବସ୍ଥା କରି ଭିଡ କମାଇଥିଲେ ।
ନୂଆଦିଲ୍ଲୀ ରେଳ ଷ୍ଟେସନର ଦଳଚକଟାରେ ୧୮ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ ରେଳଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଟ୍ରେନର ପ୍ଲାଟଫର୍ମ ନଂ ବଦଳିବା ପରେ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ଷ୍ଟେସନରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘଟଣାଦିନ ଟ୍ରେନଟି ପ୍ଲାଟଫର୍ମ ୧୪ରେ ପହଞ୍ଚିବାର ଥିଲା । କିନ୍ତୁ ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ହିଁ ପ୍ଲାଟଫର୍ମ ନଂରେ ପରିବର୍ତ୍ତନ କରିଦିଆଗଲା । ଯାହା ଫଳରେ ଯାତ୍ରୀ ମାନେ ଟ୍ରେନ୍ ଆସିବା ପ୍ଲାଟଫର୍ମକୁ ଯିବା ପାଇଁ ଦୌଡିବା ଆରମ୍ଭ କରିଦେଲେ । ଏହା ଦ୍ବାରା ବସିଥିବା ଏବଂ ଶୋଇଥିବା ଯାତ୍ରୀଙ୍କ ଉପରେ ମଧ୍ୟ କିଛି ଯାତ୍ରୀ ଚଢିଯାଇଥିଲେ । ଫଳରେ ଅନେକ ଲୋକ ମୃତାହତ ହୋଇଥିଲେ ।
ଷ୍ଟେସନରେ ଚାଲିଥିଲା ପ୍ରବଳ ପାଟିତୁଣ୍ଡ
ଷ୍ଟେସନରେ ଦଳାଚକଟା ପରେ ପ୍ରବଳ ଉତ୍ତେଜନା ହୋଇଥିଲା । ଷ୍ଟେସନରେ ଦୋକାନ କରିଥିବା ଜଣେ ଦୋକାନୀ କହିଛନ୍ତି ଯେ , ମୁଁ ଆଜି ଯାଏଁ ଏତେ ବର୍ଷ ଷ୍ଟେସନରେ ଦୋକାନ କରିଥିଲେ ମଧ୍ୟ ଏମିତି ଭିଡ କେବେ ବି ଦେଖି ନାହିଁ । ଦୁର୍ଘଟଣା ସମୟରେ ପ୍ଲାଟଫର୍ମ ନଂ ୧୪ରେ ଥିବା ମୁଁ ମୋର ଦୋକାନରେ ଥିଲି । ଏବଂ ପ୍ଲାଟଫର୍ମରେ ପ୍ରବଳ ଭିଡ ମଧ୍ୟ ଥିଲା । ଅଲଗା ଅଲଗା ପ୍ଲାଟଫର୍ମରେ ଟ୍ରେନ୍ ସବୁ ଆସୁଥିଲା । ଯେତେବେଳେ ପ୍ରୟାଗରାଜ ଯାଉଥିବା ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିଲା ସେତେବେଳେ ଟ୍ରେନ୍ର ପ୍ଲାଟଫର୍ମ ନଂ ପରିବର୍ତ୍ତନର ଏକ ଘୋଷଣା ହେଲା । ଯାତ୍ରୀମାନେ ସବୁ ଦୌଡିବା ଆରମ୍ଭ କଲେ । ଏହି କାରଣରୁ ଆହୁରି ଦଳାଚକଟା ହେଲା । ଯାତ୍ରୀମାନେ ପଡିବାକୁ ଲାଗିଲେ ଏବଂ କିଏ କାହା ଉପରେ ଚଢି ପଳାଇଗଲେ ।
ଦଳାଚକଟାର ଏମିତି କିଛି ଲୋମହର୍ଷଣକାରୀ ଦୃଶ୍ୟ
ଦୁର୍ଘଟଣା ପରେ ଦିଲ୍ଲୀ ରେଳ ଷ୍ଟେସନରେ ଭୟଙ୍କର ଦୃଶ୍ୟ ସବୁ ଦେଖିବାକୁ ମିଳିଛି । ଦଳାଚକଟା ପରେ ଷ୍ଟେସନରେ କେଉଁଠି କାହାରି ଜୋତା, ଚପଲ ଏବଂ ବିଭିନ୍ନ ଜିନିଷ ଏଣେ ତେଣେ ବିଛାଡି ହୋଇପଡିଥିବା ଦୃଶ୍ୟ ସାମ୍ନାକୁ ଆସିଛି । କାହାରି ସ୍ବେଟର , ରୁମାଲ୍ ପଡିଥିବାବେଳେ ଖାଇବା ପିଇବା ସାମଗ୍ରୀ ମଧ୍ୟ ପଡିରହିଛି । ଛୋଟ ପିଲାଙ୍କର କ୍ଷୀର ବୋତଲ ମଧ୍ୟ ପଡିଥିବାର ଦୃଶ୍ୟ ନଜର ଆସିଛି । ଷ୍ଟେସନରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ଲାଟଫର୍ମର ସିଡିରେ ଏଣେତେଣେ ପଡିଛି ଜିନିଷ
ପ୍ଲାଟଫର୍ମର ସିଡିରେ ଲୋକଙ୍କ ଚପଲ ଏବଂ ପୋଷାକ ଏଣେ ତେଣେ ବିଛାଡି ହୋଇ ପଡିଛି । ଏହି ଚିତ୍ରରୁ ଜାଣିହେଉଛି ଯେ ଦୁର୍ଘଟଣା ବେଳର ସ୍ଥିତି କେତେ ଭୟଙ୍କର ଥିବ । ଏବେ ସେହି ପଡିଥିବା ଜିନିଷ ଉପରେ ଚଢି ଲୋକେ ଯିବା ଆସିବା କରୁଛନ୍ତି ।
କାନ୍ଦବୋବାଳିରେ ଫାଟିଲା ଷ୍ଟେସନ ପରିସର
ଘଟଣା ପରେ ମୃତକଙ୍କ ପରିବାରଜନଙ୍କ କାନ୍ଦି କାନ୍ଦି ଅବସ୍ଥା ଖରାପ । ଲୁହ ଛଳ ଛଳ ଆଖିରେ ପରିବାରବର୍ଗ ନିଜ ସମ୍ପକୀୟଙ୍କ ମରଶରୀରକୁ ଘରକୁ ନେଇ ଯାଉଛନ୍ତି । ସେମାନେ କେବେ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ଯେ ଏହି ଦଳଚକଟାରେ ତାଙ୍କର ପରିବାର ପୁରା ଉଜାଡିଦେବ ।
ସିଡିରେ ବସିଥିବା ଲୋକେ ଭିଡତଳେ ଦବିଗଲେ
ଷ୍ଟେସନରେ କୁଲି କାମ କରୁଥିବା ରିଙ୍କୁ ମୀନା କହିଛନ୍ତି ଯେ,ଦଳାଚକଟା ସମୟରେ ମୁଁ ସିଡି ଉପରେ ଛିଡା ହୋଇଥିଲି । ଟ୍ରେନ ପ୍ରଥମେ ପ୍ଲାଟଫର୍ମ ନଂ ୧୪ରେ ଆସିବାର ଥିଲା । କିନ୍ତୁ ସାଙ୍ଗେ ସାଙ୍ଗେ ପ୍ଲାଟଫର୍ମ ନଂ ରେ ପରିବର୍ତ୍ତନ ହେବ ବୋଲି ଘୋଷଣା ହେଲା । ଏହା ପରେ ସିଡିରେ ବସିଥିବା ଲୋକେ ହଡବଡେଇ ଗଲେ । ଏବଂ ଯାତ୍ରୀମାନେ ଦୈାଡା ଦୌଡି ହେବା ଫଳରେ ସିଡିରେ ବସିଥିବା ଲୋକଙ୍କ ଉପରେ ଚଢିଯାଇଥିଲେ । ଫଳରେ ଅନେକ ଲୋକଙ୍କର ଜୀବନ ଚାଲିଗଲା ।
ପ୍ଲାଟଫର୍ମର ଉଭୟ ପାର୍ଶ୍ବରେ ଭିଡ ଥିଲା
ଆଉ ଜଣେ ଦୋକାନୀ ରମଣ କହିଛନ୍ତି ଯେ , ଟ୍ରେନ୍ ଆସିବା ପାଇଁ ଗୋଟିଏ ଜାଗାରେ ବହୁତ ଲୋକ ଏକାଠି ଠିଆ ହୋଇଥିଲେ । ଏତେ ଭିଡ ଥିଲା ଯେ ଆଗକୁ କିଛି ଦେଖା ବି ଯାଉନଥିଲା । ପୋଲିସ୍ ମଧ୍ୟ ସେଠି ଭିଡ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲା । ଯାତ୍ରୀମାନେ କହୁଥିଲେ ଯେ ଟ୍ରେନକୁ ଏହି ପ୍ଲାଟଫର୍ମରୁ ହଟେଇ ଆଉ କେଉଁ ପ୍ଲାଟଫର୍ମକୁ ପରିବର୍ତ୍ତନ କରାଯାଉଛି । ଉଭୟ ପାର୍ଶ୍ବ ପ୍ଲାଟଫର୍ମରେ ପ୍ରବଳ ଭିଡ ଥିଲା । ଏହା ପରେ ଲୋକମାନେ ଦୈାଡିବାକୁ ଲାଗିଲେ ଏବଂ ଦଳାଚକଟା ଆରମ୍ଭ ହୋଇଗଲା ।
କେମିତି ଘଟିଲା ଏହି ଅଘଟଣ ?
ଏଭଳି ଅଘଟଣ କିପରି ଘଟିଲା ବୋଲି ସେ ସମ୍ପର୍କରେ ଉତ୍ତର ରେଳବାଇର ସିପିଆରଓ ହିମାଶୁଂ ଶେଖର ମଧ୍ୟ ଏକ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ, ଘଟଣା ସମୟରେ ପ୍ଲାଟଫର୍ମ ନଂ ୧୪ରେ ପାଟନା ଯିବା ପାଇଁ ମଗଧ ଏକ୍ସପ୍ରେସ୍ ଟ୍ରେନ୍ ଛିଡା ହୋଇଥିବା ବେଳେ ପ୍ଲାଟଫର୍ମ ନଂ ୧୫ରେ ଜମ୍ମୁ ଯିବା ପାଇଁ ସମ୍ପର୍କ କ୍ରାନ୍ତି ଟ୍ରେନ୍ ଛିଡା ହୋଇଥିଲା । ଏହି ସମୟରେ ପ୍ଲାଟଫର୍ମରେ ପ୍ରବଳ ଭିଡ ଥିଲା । କେତେ ଯାତ୍ରୀ ଖସି ପଡିଯାଇଥିଲେ ଏବଂ ତାଙ୍କ ଉପରେ କିଛି ଯାତ୍ରୀ ଚଢିଯାଇଥିଲେ ।
ଦୁର୍ଘଟଣାରେ କ୍ଷତିପୂରଣ
ଦଳାଚକଟା ପରେ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ଭାରତୀୟ ରେଳବାଇ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି । ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ।