ଓମିକ୍ରନ ପରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ, ୪୬ ଥର କରିଛି ମ୍ୟୁଟେସନ

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନ ଏବେ ଆତଙ୍କ ଖେଳାଉଛି । ତେବେ ଓମିକ୍ରନ ଆତଙ୍କ ମଧ୍ୟରେ ଆଉ ଏକ ଖବରର ସାମ୍ନାକୁ ଆସିଛି ଯାହା ଚିନ୍ତାଜନକ ଅଟେ । ଓମିକ୍ରନ ଭାରିଆଣ୍ଟ ପରେ ବୈଜ୍ଞାନିକ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି । ଯାହାର ନାମ ହେଉଛି Variant IHU । ସୂଚନା ଅନୁସାରେ ଏହି Variant IHU ୪୬ ଥର ମ୍ୟୁଟେସନ କରିସାରିଛି । ମୂଳ କୋଭିଡ ଜୀବାଣୁ ଅପେକ୍ଷା ଏହା ଅଧିକ ଟିକା ପ୍ରତିରୋଧକ ଏବଂ ସଂକ୍ରାମକ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।

ନ୍ୟୁଜ ଓ୍ୱେବସାଇଟ ଡେଲି ମେଲର ସୂଚନା ଅନୁସାରେ Variant IHU ଫ୍ରାନ୍ସରେ ଚିହ୍ନଟ ହୋଇଛି । ଫ୍ରାନ୍ସର ମାରସୈଲରେ କରୋନାର ନୂଆ ଭାରିଆଣ୍ଟର ୧୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ତେବେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ୧୨ ଜଣ ଆଫ୍ରିକାର କେମରୁନରୁ ଫେରିଥିବା ସୂଚନା ମିଳିଛି । ତେବେ Variant IHU କେତେ ଭୟଙ୍କର ଓ କେତେ ସଂକ୍ରାମକ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଫ୍ରାନ୍ସରେ ଚିହ୍ନଟ ହୋଇଥିବା ମୋଟ କେସରୁ ୬୦ ପ୍ରତିଶତ ଓମିକ୍ରନ କେସ୍ ଚିହ୍ନଟ ହେଉଛନ୍ତି । ତେବେ ବର୍ତ୍ତମାନ ଏହି ଭାରିଆଣ୍ଟ ଅନ୍ୟ ଦେଶରେ ପହଞ୍ଚି ସାରିଲାଣି ନା ତାହା ଏବେ ଦେଖିବାକୁ ବାକି ରହିଛି ।

Variant IHU ପୂର୍ବରୁ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ ସାରା ବିଶ୍ୱରେ ଅନେକ ଦେଶରେ ମାଡି ସାରିଲାଣି । ଭାରତରେ ମଧ୍ୟ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରିସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଦେଶରେ ବର୍ତ୍ତମାନ ସୁଦ୍ଧା ଭାରତରେ ୧୮୯୨ ମାମଲା ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ଦିଲ୍ଲୀରେ ୫୬୮ କେସ୍ ଚିହ୍ନଟ ହୋଇଥିବାବେଳେ ମୁମ୍ବାଇରେ ୩୮୨ କେସ୍ ଚିହ୍ନଟ ହୋଇଛି ।

Leave a Reply