ଲିଙ୍ଗରାଜ ମନ୍ଦିର ନୂଆ ବିବାଦ: ଜାଗର ପୂର୍ବରୁ ବ୍ରାହ୍ମଣ ନିଯୋଗ ଦୁଇ ଫାଳ

ଭୁବନେଶ୍ବର: ଜାଗର ଯାତ୍ରା ନେଇ ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାତି ୧୦ଟାରେ ଉଠିବ ମହାଦୀପ । ସମନ୍ବୟ ରକ୍ଷା କରି ନୀତିକାନ୍ତି କରିବେ ସେବାୟତ । ତେବେ ପର୍ବ ପୂର୍ବରୁ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ । ଦୁଇ ଫାଳ ହୋଇଛି ବ୍ରାହ୍ମଣ ନିଯୋଗ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହୋଇଥିବା ବେଳେ ପଦ ଛାଡିବାକୁ ନାରାଜ ପୁରୁଣା ସଭାପତି, ସମ୍ପାଦକ । ଏନେଇ ନୂଆ କରି ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ଆଜି ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଦସ୍ତାବିଜ୍ ଦେଖାଇବା ସହ ପ୍ରଶାସନ ଓ ସମସ୍ତ ସେବାୟତଙ୍କ ସହ ସମନ୍ବୟ ରକ୍ଷା କରି ଲିଙ୍ଗରାଜଙ୍କ ଜାଗର ଯାତ୍ରା ଶୃଙ୍ଖଳିତ ଭାବରେ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ନିର୍ବାଚନ ପରେ ବି ଗାଦି ଛାଡୁନାହାଁନ୍ତି ପୁରୁଣା ସଦସ୍ୟ । ଘୋଷଣା ହେଲା ନୂଆ ସଭାପତି ସମ୍ପାଦକଙ୍କ ନାଁ । ଦସ୍ତାବିଜ୍ ସହ ପ୍ରମାଣ ଦେଲେ ନୂଆ କର୍ମକର୍ତ୍ତା । ୮ ବର୍ଷ ହେବ ଗାଦି ମାଡି ବସିଥିଲେ କିଛି ଲୋକ । ଅସାମ୍ବିଧାନିକ ଭାବରେ ଚାଲିଥିଲା ନିଯୋଗର କାର୍ଯ୍ୟ । ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଛନ୍ତି ନୂଆ ସଭାପତି ସମ୍ପାଦକ । ଜାଗରକୁ ଆଉ ମାତ୍ର ଗୋଟିଏ ସପ୍ତାହ ଥିବା ବେଳେ ଏବେ ବ୍ରାହ୍ମଣ ନିଯୋଗ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ଗତ ଜାନୁଆରୀ ୨୮ ତାରିଖରେ ନିଯୋଗର ନିର୍ବାଚନ ହୋଇଥିବା ବେଳେ ସଭାପତି ଭାବରେ ନାରାୟଣ ମହାପାତ୍ର ଏବଂ ଉପସଭାପତି ଭାବରେ ବିଜୟ ଭୂଷଣ ମହାପାତ୍ର ଏବଂ ସତ୍ୟନାରାୟଣ ମହାସୁପକାର, ସମ୍ପାଦକ ହିମାଦ୍ରୀ ଶେଖର ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନକୁ ପୁରୁଣା କର୍ମକର୍ତ୍ତା ଗୋଷ୍ଠୀ ମାନୁ ନାହାନ୍ତି । ନିୟମ ଅନୁସାରେ ପ୍ରତି ଦୁଇବର୍ଷରେ ନିର୍ବାଚନ ହେବା କଥା । କିନ୍ତୁ ଯେଉଁମାନେ ଥିଲେ ସେମାନେ ଅସାମ୍ବିଧାନିକ ଭାବରେ ଗାଦି ମାଡି ବସିଥିଲେ ବୋଲି ନୂଆ ସଦସ୍ୟ କହିଛନ୍ତି।
ଜାନୁଆରୀ ୨୮ ତାରିଖରେ ହୋଇଥିବା ନିର୍ବାଚନକୁ ମନ୍ଦିର ଟ୍ରଷ୍ଟବୋର୍ଡ ସ୍ବୀକୃତି ଦେଇଛି । ଜାଗର ନୀତିକାନ୍ତି ନେଇ ଜିଲ୍ଲାପାଳ ଏବଂ କମିଶନରେଟ ପୋଲିସ ପକ୍ଷରୁ ନୂଆ ସଭାପତି ସମ୍ପାଦକଙ୍କୁ ଚିଠି ମଧ୍ଯ ହୋଇଛି । କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ ଓ ଠିକ୍ ରାତି ୧୦ ଟାରେ ମହାଦୀପ ଉଠିବ ସେ ନେଇ ସମନ୍ବୟ ରକ୍ଷା କରି କାମ କରିବାକୁ କୁହାଯାଇଛି । ସେପଟେ ପୁରୁଣା ସମ୍ପାଦକଙ୍କ ନାଁରେ ସେବାୟତ କାଳୁ ମହାପାତ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ବାପାଙ୍କ ମୃତ୍ୟୁ ପରେ ଚୁଲିକୁ ସମ୍ପାଦକ ଜବରଦସ୍ତ ନେଇଯାଇଥିବାରୁ ପରିବାର ଚଳାଇବାରେ ଅସୁବିଧା ହେଉଛି ବୋଲି କହିଛନ୍ତି । ତେବେ ଜାଗର ସମୟରେ ବିବାଦ ଦେଖା ଦେଇଥିବାରୁ ସମସ୍ତଙ୍କୁ ବୁଝାଇ ସୁରୁଖୁରୁରେ ନୀତିକାନ୍ତି କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ
ଜାନୁଆରୀ ୨୮ ତାରିଖରେ ବ୍ରହ୍ମଣ ନିଯୋଗର ନିର୍ବାଚନ ହୋଇଥିବା ବେଳେ ଫେବୃଆରୀ ୧୬ ତାରିଖରେ ଆଉ ଏକ ବ୍ରାହ୍ମଣ ନିଯୋଗ ଗୋଷ୍ଠୀ ନିର୍ବାଚନ କରି ସଭାପତି ସମ୍ପାଦକଙ୍କ ସମେତ ୨୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ଦେଇଛି ।