କାର୍ଯ୍ୟଭାର ଗ୍ରହଣ କଲେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
1 min read
ନୂଆଦିଲ୍ଲୀ: ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଆଇନ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ଗେଜେଟ ନୋଟିଫିକେସନ ଜାରି କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନେଶ କୁମାରଙ୍କୁ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଓ ହରିୟାଣାର ମୁଖ୍ୟ ସଚିବ ଡ. ବିବେକ ଜୋଶୀଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା । ଭାରତର ୨୬ତମ CEC ଭାବେ ଜ୍ଞାନେଶ ପଦ ସମ୍ଭାଳିଛନ୍ତି ।
ନିଜର ଅବଧି ମଧ୍ୟରେ ଜ୍ଞାନେଶ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଓ ୨୦୨୬ରେ କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଦାୟିତ୍ବ ତୁଲାଇବେ । ସେହିପରି ୨୦୨୬ରେ ହେବାକୁ ଥିବା ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟ ସେ ତୁଲାଇବେ । କାର୍ଯ୍ୟଭାର ସମ୍ଭାଳିବା ପରେ ଜ୍ଞାନେଶ ନବନିଯୁକ୍ତ CEC କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରଥମ ସିଡ଼ି ହେଉଛି ମତଦାନ । ଏଥିପାଇଁ ୧୮ ବର୍ଷ ପୂରଣ କରିସାରିଥିବା ଭାରତର ପ୍ରତ୍ୟେକ ନାଗରିକ ସର୍ବଦା ମତଦାନ କରିବା ଉଚିତ । ଭାରତର ସମ୍ବିଧାନ, ନିର୍ବାଚନୀ ଆଇନ, ନିୟମ ଓ ସେଥିରେ ରହିଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ସହିତ ସର୍ବଦା ରହିବେ ।