ମହାରାଷ୍ଟ୍ରରେ ଆଜି ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଗଠନ ହେବ ନୂଆ ମନ୍ତ୍ରିମଣ୍ଡଳ । ଏନେଇ ଚୂଡାନ୍ତ ହୋଇଛି ସମୀକରଣ । ଅପରାହ୍ଣରେ ନାଗପୁରରେ ହେବ ଶପଥ ଗ୍ରହଣ ଉତ୍ସବ । ଆସନ୍ତାକାଲିଠାରୁ ୨୧ ଯାଏଁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ବିଜେପି, ଶିବସେନା (ସିନ୍ଦେ) ଓ ଏନସିପି (ଅଜିତ) ମଧ୍ଯରେ ହୋଇଛି ଭାଗବଣ୍ଟା । ପୂର୍ବ ନିଷ୍ପତ୍ତି ଅନୁଯାୟୀ ମନ୍ତ୍ରୀ ପଦ ବଣ୍ଟନ ହୋଇଥିବା କୁହାଯାଇଛି ।

ବିଜେପିକୁ ସର୍ବାଧିକ କ୍ୟାବିନେଟ ପଦବୀ ମିଳିବ । ସେହିପରି ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିକୁ ସେମାନଙ୍କ ବିଧାୟକଙ୍କ ସଂଖ୍ଯା ଅନୁସାରେ ମନ୍ତ୍ରୀ ପଦ ମିଳିବ । ଶିବସେନାରୁ ୧୩ ବିଧାୟକ ମନ୍ତ୍ରୀ ପଦ ପାଇବା କୁହାଯାଇଛି । ସେମାନଙ୍କ ମଧ୍ଯରେ ଅଛନ୍ତି ଉଦୟ ସାମନ୍ତ, ଶମ୍ଭୁରାଜେ ଦେଶାଇ, ଗୁଲାବରାଓ ପାଟିଲ, ଦାଦା ଭୁସେ, ସଞ୍ଜୟ ରାଠୋଡ ପ୍ରମୁଖ । ସେହିପରି ଶିବସେନାର ସଞ୍ଜୟ ସିରସାତ, ଭାରତ ଗୋଗବାଲେ, ପ୍ରକାଶ ଅବିତକର ପ୍ରମୁଖ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି । ଏନସିପିରୁ ଯେଉଁମାନେ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି ସେମାନେ ହେଲେ ଆଦିତି ତତକାରେ, ବାବାସାହେବ ପାଟିଲ, ଦତ୍ତାତ୍ରେୟ ଭରାନେ, ହାସନ ମୁଶରିଫ, ନରହରି ଜିରୱାଲ ପ୍ରମୁଖ । ବିଜେପିରୁ ନୀତେଶ ରାଣେ, ଶିବେନ୍ଦ୍ର ରାଜେ, ଗିରୀଶ ମହାଜନ, ପଙ୍କଜା ମୁଣ୍ଡେ, ଜୟକୁମାର ରାୱଲ, ମଙ୍ଗଳ ପ୍ରଭା ଲୋଧା ପ୍ରମୁଖଙ୍କୁ ମିଳିପାରେ କ୍ଯାବିନେଟ ପଦ । ବିଜେପିକୁ ସର୍ବାଧିକ ୨୦ ପଦ ମିଳିପାରେ । ଶିବସେନାକୁ ଗୃହ ନିର୍ମାଣ ମନ୍ତ୍ରାଳୟ ଦିଆଯିବା ଚର୍ଚ୍ଚା ହେଉଛି ।