ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ନୂଆ ସରକାର

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲେ ମୋହନ ମାଝୀଙ୍କ ସରକାର । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ  । ତାଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ  । ସେଥି ସହିତ ଓଡ଼ିଶାର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ୮ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀ । ସମସ୍ତ ମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁରେଶ ପୂଜାରୀ, ରବିନାରାୟଣ ନାଏକ,କୃଷ୍ଣଚନ୍ଦ୍ର ପାତ୍ର , ନିତ୍ୟାନନ୍ଦ ଗଣ୍ଡ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର । ଅନ୍ୟପଟେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗଣେଶରାମ ସିଂ ଖୁଣ୍ଟିଆ , ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ,କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଦେଶର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହା ସହିତ ବିଜେପି ଶାସିତ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥଗ୍ରହଣ ସମାରୋହରେ ଯୋଗ ଦେଇଥିଲେ ।