ନବଜାତକକୁ ନେଇ ଚାଲିଛି ସଉଦା: ଏକ ହଜାର ଟଙ୍କା ନଦେଲେ ପରିବାର ବର୍ଗଙ୍କୁ ମିଳୁନି ନବଜାତ ଶିଶୁ

ସୁନ୍ଦରଗଡ଼: ନବଜାତକକୁ ନେଇ ଚାଲିଛି ସଉଦା । ପ୍ରସବ ପରେ ହଜାରେ ଟଙ୍କା ନଦେଲେ ପରିବାର ବର୍ଗଙ୍କୁ ମିଳୁନି ନବଜାତ ଶିଶୁ । ନବଜାତ ଶିଶୁକୁ ହାତରେ ଧରି ସିଧାସଳଖ ସଉଦା କରୁଛନ୍ତି ନର୍ସ ଓ ସେବିକା । ଟଙ୍କା ଦିଅ ଶିଶୁ ନିଅ, ଟଙ୍କା ନଦେଲେ ଘଣ୍ଟା ଘଣ୍ଟା ଧରି ନବଜାତକକୁ ଲେବର ରୁମ ଭିତରେ ରଖି ଦେଉଛନ୍ତି । ଆଉ ଟଙ୍କା ମିଳିଗଲେ ହସ୍ତାନ୍ତର କରୁଛନ୍ତି । ଝିଅ ହେଲେ ୧ ହଜାର ଆଉ ପୁଅ ହେଲେ ୨ ରୁ ୩ ହଜାର ଟଙ୍କା ନେଉଛନ୍ତି । ସୁନ୍ଦରଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିନରେ ଥିବା ଜିଲ୍ଲା ମାତୃ ଓ ଶିଶୁ ମେଡିକାଲ ବା ଏମସିଏଚରେ ଏଭଳି କିଛି କାରବାର ଚାଲିଥିବା ନେଇ ଅଭିଯୋଗ ଆସିଛି । ଘଟଣା ସଂପର୍କରେ ଗୁରୁତର ଅଭିଯୋଗ ଆଣିଛନ୍ତି କେତେକ ପରିବାର ବର୍ଗ ଓ ଆଶାକର୍ମୀ ।

ସୁନ୍ଦରଗଡ ଏମସିଏଚରେ ଲେଫ୍ରିପଡା ଅଚଂଳର ଗୁଲବଦନ ଓରାମ ଓ ପ୍ରୟଙ୍କା ମୁଣ୍ଡାଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା । ଠିକ୍ ସେହିଭଳି ଲହୁରାଢିପା ଅଚଂଳର ମାଘନୀ ଓରାମ୍ ଓ ରାଜେନ୍ଦ୍ର ଓରାମ୍ ଙ୍କ ମଧ୍ୟ ଏକ ପୁତ୍ର ସନ୍ତାନ ହୋଇଥିଲା । ଦୁହିଁଙ୍କ ପରିବାରକୁ ଲେବର ରୁମ କମଚାରୀମାନେ ୧ ହଜାର ଟଙ୍କା ଦିଅ ତାହାଲେ ଯାଇ ମାଆ ମାନଙ୍କୁ ନବଜାତ ଶିଶୁକୁ ଦିଆଯିବ ବୋଲି କହିଥିଲେ । ହେଲେ ଗରିବ ପରିବାର ସେମାନଙ୍କୁ ପଇସା ଦେଇପାରିନଥିଲେ । ପାଖାପାଖି ୨ ଘଣ୍ଟା ଧରି ଶିଶୁ ନପାଇବା ପରେ ୧ ହଜାର ଲେଖାଏଁ ଟଙ୍କା ଦେଇ ନବଜାତ ଶିଶୁ ମାନଙ୍କୁ ମା କୋଳକୁ ଆଣିଥିଲେ ପରିବାର ବର୍ଗ । ଏହି ଘଟଣା ସୁନ୍ଦରଗଡ ଏମସିଏଚରେ ନୂଆ ନୁହେଁ ବୋଲି କହିଛନ୍ତି ଆଶାକର୍ମୀ । ଅନ୍ୟପଟେ ତଦନ୍ତ ଆରମ୍ଭ ପରେ ସତ ମାନିଛନ୍ତି ମେଡିକାଲ ଏଡିଏମଓ । ଯେଉଁମାନେ ଟଙ୍କା ନେଇଥିଲେ ସେମାନେ ଫେରାଇ ଦେଇଛନ୍ତି ବୋଲି କହି ଘଟଣାକୁ ସ୍ୱୀକାର କରିଛନ୍ତି ।