ମାଆର ଯନ୍ତ୍ରଣା ଆଗେରେ ଉଭେଇଗଲା ପୁଅର କୁଆଁ କୁଆଁ ଡ଼ାକ, ନବ ଜନ୍ମିତ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଆ…

ସୁନ୍ଦରଗଡ଼: କରୋନା ପାଇଁ କଳା ମଚ୍‌ ମଚ୍‌ ରାସ୍ତାରେ ଲେଖି ହେଉଛି  ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର । ଲକ୍‌ଡାଉନରେ ରାସ୍ତା ପାଲଟିଛି ପ୍ରବାସୀଙ୍କ ଦୁଃଖର ମୁକ ସାକ୍ଷୀ । କାରଣ ଏହି ଭିତରେ ପ୍ରବାସୀଙ୍କ ଝାଳ ଏବଂ କୋହଫଟା ଲୁହରେ ଭିଜୁଛି ଦେଶର ସବୁ ରାସ୍ତା । କେତେବେଳେ ଭିଟାମାଟିକୁ ଯାତ୍ରା ଟ୍ରକ୍‌ ଚକା ତଳେ ଅଟକି ଯାଉଛିତ ପୁଣି କେତେବେଳେ ଭୋକିଲା ପେଟରେ ପାଦେ ଆଗଉନି ପାଦ । ପାଞ୍ଚ ଇଞ୍ଚର ପକେଟରେ ପାଞ୍ଚ ଟଙ୍କାଟେ ନଥିବାରୁ ରାସ୍ତାର ଧୁଳିରେ ଉଭେଉ ଯାଉଛି ଘରକୁ ଲେଉଟିବାର ସ୍ୱପ୍ନ । ତେବେ ଏଇ ଭିତରେ ରାସ୍ତାରେ ଆଙ୍କି ହୋଇଛି ଆଉଗୋଟିଏ କରୁଣ କାହାଣୀର ମାନଚିତ୍ର । ଯନ୍ତ୍ରଣା ଆଗରେ ହାର ମାନିଛି ମାଆର ମମତା ଆଉ ଉଭେଇ ଯାଇଛି କୁଆଁ କୁଆଁ ଡ଼ାକ । 

ଥକିଲା ପାଦରେ ଗର୍ଭକୁ ଧରି ଆଉ କେତେ ବାଟ ବା ଚାଲିଥାନ୍ତା । ଯେତେବେଳେ ପାଦର ଯନ୍ତ୍ରଣାଠାରୁ ଗର୍ଭର ଯନ୍ତ୍ରଣା ଅଧିକ ହେବାକୁ ଲାଗିଲା ସେତବେଳେ ବିଚ୍‌ ରାସ୍ତା ଉପରେ ସୁଭିଲା କୁଆଁ କୁଆଁ ଡ଼ାକ । ହେଲେ ମାଆର ଖୁସି ଯେମିତି ତାର ଯନ୍ତ୍ରଣା ଆଗରେ ମଉଳି ଯାଇଥିଲା । ଶିଶୁ ପୁତ୍ରକୁ ଜନ୍ମ ଦେଇ ମଧ୍ୟ ସବୁ ଖୁସିକୁ ପାଛୋଟି ଦେଇଥିଲା ମାଆ । ପୁଅ ସିନା ଜନ୍ମ ହେଲା ହେଲେ ମାଆର ଯନ୍ତ୍ରଣା ସେ ଖୁସିଠାରୁ ଅଧିକ ବଡ଼ିଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ପ୍ରବାସୀ ମହିଳା ରାସ୍ତା ଉପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତାପରେ ସେହି ପୁତ୍ରଟିକୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ ।

ସୂଚନା ଅନୁଯାୟୀ, ଝାଡଖଣ୍ଡରୁ ଛତିଶଗଡ଼କୁ ଚାଲି ଚାଲି ୧୫ ଜଣିଆ ପ୍ରବାସୀ ଶ୍ରମିକ ତାଙ୍କ ଭିଟାମାଟିକୁ ଯାଉଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଗର୍ଭ ଜନ୍ତ୍ରଣା ହୋଇଥିଲା । ଯାହାପରେ ସେ ସୁନ୍ଦରଗଡ଼ ଜିଲ୍ଲା ଚିକଟମାଟି ନିକଟ ରାସ୍ତା କଡ଼ରେ ଶିଶୁଟିକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ଦେବା ପରେ ଶିଶୁ ପୁତ୍ରଟିକୁ ମାଆ ସାଙ୍ଗରେ ନନେଇ ସେହି ରାସ୍ତା ଉପରେ ଛାଡ଼ି ଚାଲିଯାଇଥିଲା । ପୁଅକୁ ଯନ୍ତ୍ରଣା ପାଇଁ ଛାଡ଼ିଲା ନା ସାଙ୍ଗରେ ଏତେବାଟ କେମିତିବା ନେଇ ଯାଇଥାନ୍ତା ସେ ନେଇ ଛାଡ଼ିଲା ତାହା ଏବେ ଅସ୍ପଷ୍ଟ ରହିଛି । ତେବେ ସୁନ୍ଦରଗଡ଼ର ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନ୍ ଶିଶୁଟିକୁ‌ ଉଦ୍ଧାର କରିଛନ୍ତି ।

Leave a Reply