spot_img

Latest Posts

ରବିବାର ଘୋଷଣା ହୋଇପାରେ ନୂଆ ବିଜେପି ସଭାପତିଙ୍କ ନାଁ, କିନ୍ତୁ ଆରମ୍ଭରୁ ଅସନ୍ତୋଷର ବହ୍ନି !

ଭୁବନେଶ୍ୱର : ଆସନ୍ତା ରବିବାର ଘୋଷଣା ହୋଇପାରେ ରାଜ୍ୟ ବିଜେପିର ନୂଆ ସଭାପତିଙ୍କ ନାଁ । ଗତ ଥର ପରି ଚଳିତ ଥର ମଧ୍ୟ ନିର୍ବାଚନ ଅପେକ୍ଷା ଚୟନ ଆଡକୁ ମୁହାଁଉଛି ରାଜ୍ୟ ବିଜେପି । ଡିସେମ୍ବର ୨୦ ସୁଦ୍ଧା ରାଜ୍ୟ ସଭାପତି ନିବାର୍ଚନ ପ୍ରକ୍ରିୟା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି । ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଭଳି ନିବାର୍ଚନ ପୂର୍ବରୁ ହିଁ ଦଳୀୟ ନେତା ଜାହିର କଲେଣି ଅସନ୍ତୋଷ ।


ସରିଲା ବିଜେପିର ଜିଲ୍ଲା ସଭାପତି ନିବାର୍ଚନ ପ୍ରକ୍ରିୟା । ଦୁଇ ଦିନ ମଧ୍ୟରେ ନୂତନ ଜିଲ୍ଲା ସଭାପତି ଓ ପ୍ରତି ଜିଲ୍ଲାର ଦୁଇ ଜଣ ରାଜ୍ୟ ପରିଷଦ ସଦସ୍ୟଙ୍କ ନାଁ ଘୋଷଣା ହେବ। କାଲିଠାରୁ ରାଜ୍ୟ ସଭାପତି ନିବାର୍ଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ତେବେ ସହମତି ଭିତ୍ତିରେ ଚୟନ ଆଡକୁ ମୁହାଁଉଛି ଏହି ପ୍ରକ୍ରିୟା। ଏହା ପୂର୍ବରୁ ଅସନ୍ତୋଷ ଜାହିର କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ନଜର ପକାଇବା କେଉଁମାନେ ବିଜେପି ସଭାପତି ରେସ୍‌ରେ ଅଛନ୍ତି ?

କନକବର୍ଦ୍ଧନ ସିଂହଦେଓ
ରେସର ସବୁଠାରୁ ଆଗରେ ଅଛନ୍ତି ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ । ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ବଲାଙ୍ଗୀରରୁ ଏବେ ସାଂସଦ ଅଛନ୍ତି । ହେଲେ ପତ୍ନୀ ସାଂସଦ ଓ ସ୍ୱାମୀ ରାଜ୍ୟ ସଭାପତି ହେଲେ ଗୋଟାଏ ପରିବାରକୁ ଅଧିକ କ୍ଷମତା ମିଳିବା ବିରୋଧରେ କିଛି ଥିବା କୁହାଯାଉଛି ।


ସମୀର ମହାନ୍ତି
ବିଜେପିର ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ପୂର୍ବରୁ ଭୁବନେଶ୍ୱରରେ କପୋର୍ରେଟର ଥିଲେ। ହେଲେ ରାଜ୍ୟସ୍ତରୀୟ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ବିଜେପିର ହେଭିଓ୍ୱେଟ୍ ନେତାଙ୍କ ସମର୍ଥନ ସମୀରଙ୍କ ପାଖରେ ଥିବା ଖବର ରହିଛି। ଦଳରେ ବରିଷ୍ଠ ନେତା ଥିବାବେଳେ ସମୀରଙ୍କୁ ଦାୟିତ୍ୱ ମିଳିଲେ, ବରିଷ୍ଠମାନେ ଅସନ୍ତୋଷ ହେବା ଚର୍ଚ୍ଚା ହେଉଛି ।


ପୃଥ୍ୱୀରାଜ ହରିଚନ୍ଦନ
ରାଜ୍ୟ ବିଜେପିର ସାଧାରଣ ସଂପାଦକ ଅଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ପ୍ରତ୍ୟକ୍ଷ ନିବାର୍ଚନରେ ବାରମ୍ବାର ପରାଜିତ ହେଉଛନ୍ତି ପୃଥ୍ୱୀରାଜ । ହେଲେ ତାଙ୍କ ପାଖରେ ବି ରହିଛି ହେଭିଓ୍ୱେଟ୍ ନେତାଙ୍କ ସମର୍ଥନ । ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଦାୟିତ୍ୱ ମିଳିଛି । ଏଠାରେ ବି ଗୋଟାଏ ପରିବାରକୁ ଦୁଇ ଦୁଇଟି ବଡ଼ ପଦ ମିଳିବା ନେଇ ଦ୍ୱନ୍ଦ୍ୱ ଥିବା ଚର୍ଚ୍ଚା ।


ଅପରାଜିତା ଷଡ଼ଙ୍ଗୀ
ପ୍ରଶାସିକାରୁ ସାଂସଦ ହୋଇଥିବା ଭୁବନେଶ୍ୱରର ଅପରାଜିତା ଷଡଙ୍ଗୀଙ୍କ ପାଇଁ ସଭାପତି ପଦ ନେଇ କିଛି ନେତା ଲବି କରୁଥିବା ଖବର ରହିଛି । ହେଲେ ଗତ ଥର ସଭାପତି ରେସରୁ ବିଜୟ ମହାପାତ୍ର ଆଉଟ ହେବା ଦଶା ଭୋଗି ପାରନ୍ତି ଅପରାଜିତା। କାରଣ ୧୦ ବର୍ଷ ବିଜେପି ସଦସ୍ୟ ହିଁ ହୋଇପାରିବେ ରାଜ୍ୟ ସଭାପତି ପାଇଁ ଦାବିଦାର । ଏହି ନିୟମ କେବଳ ଆସାମ ମୁଖ୍ୟମନ୍ତ୍ରୀ ସବାର୍ନନ୍ଦ ସୋନେଓ୍ୱାଲଙ୍କ କ୍ଷେତ୍ରରେ କୋହଳ କରିଥିଲା ଦଳ ।

ବସନ୍ତ ପଣ୍ଡା 
ରାଜ୍ୟ ସଭାପତି ଚୟନ ନେଇ ଦ୍ୱନ୍ଦ୍ୱ ଦେଖା ଦେଲେ ଦଳର ଲକି ସଭାପତି କୁହାଯାଉଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପୁଣି ଥରେ ଦାୟିତ୍ୱ ମିଳିପାରେ। ବସନ୍ତ ଏବେ କଳାହାଣ୍ଡିରୁ ସାଂସଦ ଅଛନ୍ତି । ଏ ସବୁ ଚର୍ଚ୍ଚା ମଧ୍ୟରେ ଆଉ ଦିନ କେଇଟାରେ ସ୍ପଷ୍ଟ ହେବ ଦଳୀୟ ସଭାପତିଙ୍କ ନାଁ ।

Latest Posts

Don't Miss