spot_img

Latest Posts

ରାଜଧାନୀ ପାଓ୍ବାର କରିଡ଼ରର ବଦଳିବ ରୂପରେଖ: ତିଆରି ହେବ ନୂଆ ବିଧାନସଭା, ନୂଆ ଲୋକସେବା ଭବନ

ଭୁବନେଶ୍ବର : ୨୦୨୯ରେ ବଢିପାରେ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା। ଏବେକାର ବିଧାନସଭା ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ। ସେଥିପାଇଁ ଆବଶ୍ୟକ ନୂଆ ବିଧାନସଭା। ଏବେକାର ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଜାଗାରେ ହେବ ନୂଆ ବିଧାନସଭା। ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବିଧାନସଭା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ସହ ଲୋକସେବା ଭବନ ପୁରୁଣା ହୋଇଯାଇଥିବାରୁ ନୂଆ ଲୋକସେବା ଭବନ ତିଆରି ହେବ। ପାଓ୍ବାର ହାଉସ ଛକରେ ଥିବା ନିର୍ମାଣ ସୌଧର ପୁରୁଣା ବିଲଡ଼ିଙ୍ଗ, ତା ପାଖକୁ ଲାଗିଥିବା ଓସେପା କାର୍ଯ୍ୟାଳୟ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରର ଖଣି ନିର୍ଦ୍ଦେଶାଳୟ ପଟକୁ ଭାଙ୍ଗି କରାଯିବ ନୂଆ ଲୋକସେବା ଭବନ। ପାଓ୍ବାର ହାଉସରୁ ଲୋକସେବା ଭବନକୁ ଗଲାବେଳେ ରାସ୍ତାର ବାମପଟେ ଥିବା ଖାରବେଳ ଭବନ ଯେମିତି ଅଛି ସେମିତି ରହିବ। ଏହା ପାଖକୁ ଥିବା ଏଡ଼ିଏମ୍ କାର୍ଯ୍ୟାଳୟ, ସେଚ ସଦନ ମଧ୍ୟ ଭଙ୍ଗାଯିବ। ଭୁବନେଶ୍ବର କ୍ଲବ ସାମନା ପଟୁ ଲୋକସେବା ଭବନର ୫ ନମ୍ବର ଗେଟ ଆଡ଼କୁ ଯିବା ବେଳେ ବାମ ପଟେ ଥିବା ହାଇ ଲେଭେଲ ପାଣି ଟାଙ୍କି ଏବଂ ତା ପାଖକୁ ଥିବା କନଭେନସନ ସେଣ୍ଟର ଯେମିତି ଅଛି ସେମିତି ରହିବ। ଡ଼ାହାଣ ପଟେ ଥିବା ରାଜୀବ ଭବନ ଓ ନିର୍ଦ୍ଦେଶାଳୟକୁ ପର୍ଯ୍ୟାୟକ୍ରମେ ଭଙ୍ଗାଯିବାର ଯୋଜନା ରହିଛି। ନୂଆ ଲୋକସେବା ଭବନ ପ୍ରଥମ ପର୍ଯ୍ୟାୟ କାମ ସରିବା ପରେ ପୁରୁଣା ଲୋକସେବା ଭବନ ଭଙ୍ଗାଯିବ। ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ହଜାର ୬୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ନୂଆ ବିଧାନସଭା ହେବା ପରେ ପୁରୁଣା ବିଧାନସଭାକୁ ସ୍ମାରକୀ ଭବନ କିମ୍ବା ପ୍ରସ୍ତାବିତ ବିଧାନ ପରିଷଦ ପାଇଁ ବ୍ୟବହାର କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।

୨ ବର୍ଷରେ ପ୍ରଥମ ପର୍ଯ୍ୟାୟ କାମ ସରିବ ବୋଲି ଆକଳନ କରିଛି ପୂର୍ତ୍ତ ବିଭାଗ। ହେଲେ ପରିକଳ୍ପନା ଏତେ ବ୍ୟାପକ ଯେ, ୫ ବର୍ଷ ପୂର୍ବରୁ କିଛି ସରିବା ଭଳି ଜଣାପଡ଼ୁନାହିଁ। ପ୍ରଥମ ପର୍ଯ୍ୟାୟରେ ୩ହଜାର ୬୭୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକଳ୍ପ ସାରିବାକୁ ବଜେଟ ୧୫ହଜାର କୋଟି ଟପିବାର ସମ୍ଭାବନା ରହିଛି। ହେଲେ ଏଭଳି ଏକ କଳ୍ପନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ବିରୋଧୀ। ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ନ ଦେଇ ରାଜକୀୟ ଷ୍ଟାଇଲ ଦେଖାଇବାକୁ ଏପରି ପ୍ରୟାସ ଗ୍ରହଣୀୟ ନୁହେଁ ବୋଲି ବିରୋଧୀ କହିଛନ୍ତି। ଏତେ ବଡ଼ ପ୍ରକଳ୍ପ ବିନା ପ୍ରଶାସନିକ ଅନୁମୋଦନ, ବିନା କ୍ୟାବିନେଟ ଅନୁମୋଦନରେ କେମିତି ସମ୍ଭବ ବୋଲି ପ୍ରଶ୍ନ ଉଠିଛି। ୧୯୬୧ ପୂର୍ବରୁ ବ୍ୟବହୃତ ବିଧାନସଭା ଏବେ ପୁରାତନ ବିଧାନ ସୌଧ ଭାବେ ପରିଚିତ। ଇନ୍ଦିରା ଗାନ୍ଧୀ ପାର୍କ ପଛପଟେ ଥିବା ଏହି ବିଲଡିଂ ଏବେ ସ୍ମାରକୀ ସ୍ଥଳ। ନୂଆ ଲୋକସେବା ଭବନ ଓ ନୂଆ ବିଧାନସଭାକୁ ଗୋଟିଏ କରିଡ଼ରରେ ରଖାଯିବା ସହ ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଡ଼ିଜାଇନରେ ନିର୍ମାଣ ହେବ।

Latest Posts

Don't Miss