ବିଜୁ ଯୁବ ଜନତା ଦଳର ପୁନର୍ଗଠନ; ମହାସଚିବ ହେଲେ ଏଲିନା ଦାଶ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଏଲିନା ଦାଶଙ୍କୁ ମହାସଚିବ ଦାୟିତ୍ୱ  ଦେଇଛି ଦଳ ।  ସେହିଭଳି ବରିଷ୍ଠ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ମିଳିଛି ।

ଜୋନ୍ ସଭାପତି ଭାବେ ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ୱାଇଁ, ବଲାଙ୍ଗୀର ମଣିନ୍ଦ୍ର ମହାନ୍ତି, ସମ୍ୱଲପୁର ଦେବାଶିଷ ପରିଡ଼ା, କୋରାପୁଟ ତାପସ ତ୍ରିପାଠୀ, ବାଲେଶ୍ୱର ଜୟରାମ  ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ସୋଫିଆ ଆଲମଙ୍କ ସମେତ ମୋଟ ୧୩ ଜଣଙ୍କୁ ଉପ ସଭାପତି, ୪୬ଜଣଙ୍କୁ ସାଧାରଣ ସମ୍ପାଦକ, ୬୩ଜଣଙ୍କୁ ସମ୍ପାଦକ, ୨୩ଜଣଙ୍କୁ ଯୁଗ୍ମ ସମ୍ପାଦକ ଓ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।