ଏହି ବର୍ଗର ମହିଳା ୨୦ରୁ ୨୪ ସପ୍ତାହ ମଧ୍ୟରେ କରିପାରିବେ ଗର୍ଭପାତ

ନୂଆଦିଲ୍ଲୀ: ଆସିଲା ନୂଆ ଗର୍ଭପାତ ନିୟମ। କେତେକ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ ଅବଧି ଗର୍ଭଧାରଣର ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି। ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ସଂଶୋଧନ ନିୟମାବଳୀ ୨୦୨୧ ଅନୁସାରେ ଯେଉଁମାନେ ଯୌନ ହିଂସାର ଶିକାର ବା ଦୁଷ୍କର୍ମ ପୀଡ଼ିତା ହୋଇଥିବେ, ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ। ଏହାସହ ନାବାଳିକା, ବିଧବା ଓ ଛାଡପତ୍ର ପାଇଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ ହେବ। ସେହିପରି ମାନସିକ ବିକାରଗ୍ରସ୍ତ ମହିଳା, ମାନସିକ ବା ଶାରୀରିକ ତ୍ରୁଟିଯୁକ୍ତ ଭ୍ରୂଣ, ସରକାରଙ୍କ ଦ୍ୱାରା ଘୋଷିତ ବିପର୍ଯ୍ୟୟ ବା ଜରୁରୀକାଳୀନ ଅବସ୍ଥାରେ ଥିବା ମହିଳା ବି ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ।

ଚଳିତ ବର୍ଷ ସଂସଦରେ ଗୃହିତ ନିୟମ ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। ପ୍ରଚଳିତ ନିୟମ ଅନୁସାରେ ଯଦି ଜଣେ ମହିଳା ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହୁଁଥିବେ, ତେବେ ସେମାନଙ୍କୁ ଜଣେ ଡାକ୍ତରଙ୍କ ଅନୁମତି ଆଣିବାକୁ ପଡୁଛି। ଯଦି ଜଣେ ମହିଳା ଗର୍ଭଧାରଣର ୧୨ରୁ ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହୁଁଥିବେ, ତେବେ ୨ ଜଣ ଡାକ୍ତରଙ୍କ ଅନୁମତି ଆଣିବାକୁ ପଡୁଛି । ନୂଆ ନିୟମ ଅନୁସାରେ, ଗର୍ଭଧାରଣର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବା କ୍ଷେତ୍ରରେ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡ ଅନୁମତି ଦେବେ।

ଗର୍ଭପାତ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ରିପୋର୍ଟକୁ ସମୀକ୍ଷା କରିବା ପରେ ମେଡିକାଲ ବୋର୍ଡ ଏହାକୁ ଅନୁମତି ଦେବେ ବା ଅଗ୍ରାହ୍ୟ କରିପାରିବେ। ନିଷ୍ପତ୍ତି ଲାଗି ବୋର୍ଡ ୫ ଦିନ ସମୟ ନେବେ। ଯଦି ଗର୍ଭପାତକୁ ଅନୁମତି ଦିଆଯାଏ, ତେବେ ସମସ୍ତ ସତର୍କତା ରକ୍ଷା ଉପରେ ବୋର୍ଡ ଗୁରୁତ୍ୱ ଦେବ। ଏହି ନୂଆ ନିୟମକୁ ସ୍ୱାଗତ କରିଛନ୍ତି ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ ମୁଟ୍ରେଜା। ସେହିପରି ଏହି ନିୟମକୁ ଅନ୍ୟାନ୍ୟ ବିଶେଷଜ୍ଞ ବି ସ୍ୱାଗତ କରିଛନ୍ତି।

Leave a Reply