ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଓ ରହିବ : ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଓ ରହିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦଯାତ୍ରାରେ ଅଭିଭାଷଣ ରଖି ଦୃଢୋକ୍ତ ଦେଖାଇଛନ୍ତି । ବିଜେଡି ଆଜି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଲୋକଙ୍କ ସୁଖ ଦୁଃଖରେ ଦଳ ସାମିଲ ଅଛି । ସ୍ୱାଭିମାନ ସହ ଲୋକଙ୍କ ସହ ଦଳ ରହିଛି । ଦଳ ବିକାଶରେ ବିଶ୍ୱାସ କରେ । ଗତ ୨୪ ବର୍ଷରେ ବିଜେଡି ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ବାସ୍ଥ୍ଯ, ସ୍ବଚ୍ଛ ପ୍ରଶାସନ, ମହିଳା ସଶକ୍ତିକରଣ, ନିବେଶ ବୃଦ୍ଧି ଆଦି କରି ରାଜ୍ଯ ବିକାଶରେ ବ୍ରତୀ ହୋଇପାରିଥିଲା । ଏଥିପାଇଁ ରାଜ୍ଯରେ ଅର୍ଥନୈତିକ ସ୍ଥିରତା ଆସିଥିଲା । ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ ଖସିଛି ଦାରିଦ୍ର୍ଯ ସୀମାରେଖା । ବିଭିନ୍ନ ଜନକଲ୍ଯାଣକାରୀ ଯୋଜନା ଦ୍ବାରା ବିଜେଡି ସରକାର ଲୋକଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି କରିପାରିଥିଲା । ଯାହା ଡବଲ ଇଞ୍ଜିନ ସରକାର ରାଜ୍ଯରେ ନାହିଁ । ଡବଲ ଇଞ୍ଜିନ ସରକାରଠୁ ଓଡିଶା ଆଗରେ ପହଞ୍ଚିଥିଲା । ବିଏସକେୱାଇରେ ଲୋକେ ବହୁତ ସୁବିଧା ପାଉଥିଲେ । ହେଲେ ବିଜେପି ସରକାର ଏବେ ଏହାର ନାଁ ବଦଳାଇ ଦେଇଛି । ଏଥିରେ କିଛି ଲାଭ ହେବନି ବୋଲି କହିଛନ୍ତି ନବୀନ । ଆଜି ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଜେଡିର ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ନବୀନ । ଏହି ଅବସରରେ ସେ କହିଥିଲେ, ପଦଯାତ୍ରା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ଶକ୍ତିଶାଳୀ ମାଧ୍ଯମ । ୫୭ ନମ୍ବର ଓ୍ବାର୍ଡ ବିଜୁ ଆଦର୍ଶ କଲୋନୀରେ ନବୀନ ପହଞ୍ଚି ଚାଲିଚାଲି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ । ଏହି ଅବସରରେ ଜନସାଧାରଣ, ଦଳୀୟ ନେତା ଓ କର୍ମୀମାନେ ନବୀନଙ୍କୁ ସ୍ବାଗତ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ସେଠାରୁ ନେତାଜୀ ପଡ଼ିଆକୁ ଯାଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ନବୀନ । ସେଠାରେ ନବୀନଙ୍କୁ ସମସ୍ତେ ପାଛୋଟି ନେବା ସହ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜଣ ଜଣ କରି ନବୀନ ଭେଟିବା ସହ ସମସ୍ତଙ୍କଠୁ ଫୁଲ ଗ୍ରହଣ କରିଥିଲେ ।.. ..