ସାରା ଦେଶରେ ନେତାଜୀ ଜୟନ୍ତୀ ପାଳିତ; ଫିଲାଟେଲି ଗ୍ୟାଲେରୀ ଓ ନୂତନ ସଂସ୍କୃତି ଭବନ ଉଦଘାଟନ
ନନ୍ଦିଘୋଷ ବ୍ୟୁରୋ: ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭାରତ ପ୍ରତି ତାଙ୍କ ଅବଦାନକୁ ମନେ ପକାଇଲେ ଉପରାଷ୍ଟ୍ରପତି । ଆଜି ନେତାଜୀ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କଟକ ଓଡ଼ିଆ ବଜାର ସ୍ଥିତ ସଂଗ୍ରହାଳୟ ବୁଲି ଦେଖିଛନ୍ତି ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ । ସକାଳୁ ସକାଳୁ ବିଜେଡିର ବହୁ ନେତା ଓ କର୍ମୀ ଗୌରିଶଙ୍କର ପାର୍କରୁ ଏକ ଶୋଭାଯାତ୍ରାରେ ନେତାଜୀ ସଂଗ୍ରହାଳୟକୁ ଯାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଉପନିବେଶବାଦ ବିରୋଧରେ ନେତାଜୀଙ୍କ ଲଢ଼େଇକୁ ମନେ ରଖିଛି ଦେଶ । ତାଙ୍କ ଦେଶଭକ୍ତି ଓ ବିରତ୍ବ ପାଇଁ ଭାରତ ଆଜି ଗର୍ବିତ । ତାଙ୍କର ଆଦର୍ଶ ଓ ଅବଦାନକୁ ଦେଶବାସୀ ମନେ ରଖିଛନ୍ତି । ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ । ନେତାଜୀଙ୍କ ୧୨୯ ତମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜନ୍ମସ୍ଥାନ ସଂଗ୍ରହାଳୟରେ କଡ଼ା ସୁରକ୍ଷା ବଳୟରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ୨୦ ମିନିଟ ଧରି ସଂଗ୍ରହାଳୟର ୧୨ଟି ଗ୍ୟାଲେରୀ ପରିଦର୍ଶନ କରିବା ସହ ଫିଲାଟେଲି ଗ୍ୟାଲେରୀ ଓ ନୂତନ ନେତାଜୀ ସଂସ୍କୃତି ଭବନ ଉଦଘାଟନ କରିଥିଲେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ ।
ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ରୂପେ ପାଳନ କରୁଛି ବିଜେଡି । ଏହି ଅବସରରେ ସକାଳୁ ସକାଳୁ ବିଜେଡିର ବହୁ ବରିଷ୍ଠ ଓ ଯୁବନେତା କଟକ ଗୌରୀଶଙ୍କର ପାର୍କରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀ ଅମର ରହେ ନାରାନେ ପ୍ରକମ୍ପିତ ହୋଇଥିଲା ସଂଗ୍ରହାଳୟ । ଆଜିର ଯୁବପିଢ଼ି ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଦଳୀୟ ନେତା ଆହ୍ବାନ ଦେଇଥିଲେ ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଦିନ ଗୋଟାଏ ପରେ ସଂଗ୍ରହାଳୟରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା ।

