ରାଜସ୍ଥାନରେ ଦିଲ୍ଲୀ ଶ୍ରଦ୍ଧା ଓ୍ବାର୍କର ମର୍ଡର ଏପିସୋଡ, ଖୁଡୀଙ୍କୁ ୧୦ ଖଣ୍ଡ କଲା ପୁତୁରା

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ଘଟଣା ମନରୁ ନ ଲିଭୁଣୁ ରାଜସ୍ଥାନ ଜୟପୁରରେ ଘଟିଛି ସମଧରଣର ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବିଧବାଙ୍କୁ ତାଙ୍କ ପୁତୁରା ହତ୍ୟା କରିବା ସହ ତାଙ୍କ ଶରୀରକୁ ୧୦ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିଲ୍ଲୀ ଘଟଣାରେ ଛୁରୀ ବ୍ୟବହୃତ ହୋଇଥିବାବେଳେ ରାଜସ୍ଥାନରେ ମାର୍ବଲ କଟରରେ କଟାଯାଇଛି ଶରୀର । ଏହି ଘଟଣାରେ ପୋଲିସ ଅନୁଜ ଶର୍ମା ଓରଫ ଇଚିନ୍ତ୍ୟ ଗୋବିନ୍ଦଦାସକୁ ଗିରଫ କରିଛି । ପୋଲିସ ମହିଳାଙ୍କ କେତେକ ଶରୀର ଖଣ୍ଡ ଜବତ କରିଛି ।

ସୂଚନା ଅନୁସାରେ ଗତ ୧୧ ତାରିଖରେ ଜୟପୁର ଅନ୍ତର୍ଗତ ବିଦ୍ୟାଧରନଗର ଇଲାକାର ଲାଲପୁରିଆ ଆପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଛି । ଅନୁଜ ତା’ ଖୁଡୀ ତଥା ୬୪ ବର୍ଷ ବୟସ୍କା ସରୋଜ ଶର୍ମାଙ୍କ ମୁଣ୍ଡକୁ ହାତୁଡିରେ ପିଟି ହତ୍ୟା କରିଥିଲା । ପରେ ଏକ ମାର୍ବଲ କଟରରେ ତାଙ୍କୁ ୧୦ ଖଣ୍ଡ କରି ଅଙ୍ଗପ୍ରତ୍ୟଙ୍ଗକୁ ସୁଟକେଶ ଓ ବାଲଟିରେ ଜଙ୍ଗଲରେ ଫିଙ୍ଗିଥିଲା । ତେବେ କିଚେନରେ ଲାଗିଥିବା ରକ୍ତଛିଟାକୁ ସଫା କରିବା ବେଳେ ଧରାପଡ଼ିଥିଲା ଅନୁଜ ।