୧୦ ହଜାର ଧାର ଟଙ୍କା ପାଇଁ ପୁତୁରା ମାଡ଼ରେ ମଉସା ମୃତ
ଭୁବନ: ଷ୍ଟିଲ ପାଇପରେ ପିଟି ମଉସାକୁ ହତ୍ୟା କଲା ପୁତୁରା । ଘଟଣା ଘଟିଛି ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ ସ୍ଥିତ ଏକ ଷ୍ଟିଲ ଦୋକାନ ସମ୍ମୁଖରେ । ଅଭିଯୁକ୍ତ ପୁତୁରା ମଉସାକୁ ପିଟୁଥିବାର ଦୃଶ୍ୟ ସିସିଟିଭିରେ ହୋଇଛି ରେକର୍ଡ । ଧାର ଦଶ ହଜାର ଟଙ୍କାକୁ ନେଇ ପୁତୁରା ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମୃତ ମଉସା ହେଉଛନ୍ତି ସୁଶାନ୍ତ ସେଠୀ । ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ହାପି ବେହେରାଙ୍କୁ ଗିରଫ କରି ପଚରାଉଚରା କରୁଛି ।
ମିଳିଥିବା ସୂଚନା ଅନୁସାରେ ୧୦ ହଜାର ଟଙ୍କା ପାଇଁ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଧାର ଟଙ୍କା ମାଗିବା ପାଇଁ ହାପି, କାମ କରୁଥିବା ଏକ ଷ୍ଟିଲ ଦୋକାନରେ ପହଞ୍ଚିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ହାପି, ସୁଶାନ୍ତଙ୍କୁ ପଛପଟୁ ଏକ ଷ୍ଟିଲ ପାଇପରେ ପିଟି ଦେଇଥିଲେ । ଫଳରେ ରକ୍ତାକ୍ତ ଅବସ୍ଥାରେ ସୁଶାନ୍ତ ତଳେ ପଡ଼ିଯାଇଥିଲେ । ତାଙ୍କୁ ପ୍ରଥମେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଢେଙ୍କାନାଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ସୁଶାନ୍ତଙ୍କ ସ୍ତ୍ରୀ ଟିକିନା ଭୁବନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ହାପିଙ୍କୁ ଭୁବନ ଥାନା ପୋଲିସ ଗିରଫ କରି ପଚାରଉଚାର କରୁଛି ।