୫ହଜାର ଲୋକଙ୍କ ମୃତ୍ୟୁରେ ନିଜକୁ ଦାୟୀ କରିଥିଲେ ଏବେ ସୁପ୍ରିମକୋର୍ଟରେ ହାଜର ହେବେ

କାଠମାଣ୍ଡୁ: ନେପାଳରେ ସରକାର ଗଢ଼ିବା ଅଧିକ ଦିନ ହୋଇନାହିଁ ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ସମସ୍ୟାର ବାଦଲ ଛାଇ ରହିଛି । ଗୋଟିଏ ପଟେ ପ୍ରଚଣ୍ଡଙ୍କ ସାମ୍ନାରେ ସରକାର ରକ୍ଷା କରିବାର ଚ୍ୟାଲେଞ୍ଜ ଥିବା ବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦାହାଲ ପ୍ରଚଣ୍ଡଙ୍କ ବିରୋଧରେ ସାମୁହିକ ନରସଂହାରର ମକଦ୍ଦମା ରୁଜୁ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମାଓବାଦୀ ପୀଡିତଙ୍କ ପକ୍ଷରୁ କିଛି ଓକିଲ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ପ୍ରଚଣ୍ଡଙ୍କ ବିରୋଧରେ ମକଦ୍ଦମା ରୁଜୁ ହେବା ପରେ କୋର୍ଟ ୯ ମାର୍ଚ୍ଚରେ ହାଜର ହେବାକୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ବିରୋଧରେ ଦୁଇଟି ଭିନ୍ନ ଭିନ୍ନ ରିଟ୍ ଦାଖଲ କରାଯାଇଛି ।

ଉଭୟ ମାମଲାର ଶୁଣାଣି ଏକାସାଙ୍ଗରେ ହେବା ନେଇ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟ ୯ ମାର୍ଚ୍ଚ ସକାଳ ୧୦ଟାରେ ଶୁଣାଣି ସମୟରେ ପ୍ରଧାମନ୍ତ୍ରୀ ପ୍ରଚଣ୍ଡଙ୍କୁ କୋର୍ଟରେ ହାଜର ହେବା ପାଇଁ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି । ସୁପ୍ରିମକୋର୍ଟର ଓକିଲ କଲ୍ୟାଣ ବୁଢଥୋକି, ସୁବାସ, ଗିରି ସମେତ ୮ ଓକିଲ ଏବଂ ସୁପ୍ରିମକୋର୍ଟର ହିଁ ଓକିଲ ଜ୍ଞାନେନ୍ଦ୍ର ରାଜ ଅରନ ସମେତ ୧୪ ଜଣ ପ୍ରଚଣ୍ଡଙ୍କ ବିରୋଧରେ ଦୁଇଟି ଅଲଗା ଅଲଗା ଅଲଗା ଯାଚିକା ଦାଖଲ କରିଛନ୍ତି । ଗୁରୁବାର ରିଟ୍ ଉପରେ ଶୁଣାଣି କରିବାର ତାରିଖ ନିର୍ଦ୍ଧାରିତ କରାଯାଇଛି । ଆବେଦନକାରୀ କଲ୍ୟାଣ ବୁଢାଥୋକି କହିଛନ୍ତି ଯେ ପ୍ରଚଣ୍ଡ ନିଜେ ହିଁ ପାଞ୍ଚ ହଜାର ଲୋକଙ୍କ ହତ୍ୟାରେ ନିଜକୁ ଦାୟୀ କରିବା ସହ  ସାର୍ବଜନିକ ରୂପରେ ସ୍ୱୀକାର କରିଥିଲେ ଏବଂ ଏଥିପାଇଁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ।

ପ୍ରକାଶ ଥାଉକି, ଜନଯୁଦ୍ଧ ନାଁରେ ପ୍ରଚଣ୍ଡଙ୍କ ଆଦେଶରେ ହିଁ ଅନେକ ସାମୁହିକ ନରସଂହାରକୁ ରୂପ ଦିଆଯାଇଥିଲା ଏବଂ ଏହା ଯୁଦ୍ଧ ନିୟମ ବିରୋଧରେ ଏକ ଘୃଣ୍ୟ କାର୍ଯ୍ୟ ଥିଲା । ଅନ୍ୟ ଏକ ଆବେଦନକାରୀ ଜ୍ଞାନେନ୍ଦ୍ର ରାଜ୍ ଅରନ କହିଛନ୍ତି ଯେ, ସଂକ୍ରମଣକାଳୀନ ନ୍ୟାୟ ପ୍ରସଙ୍ଗକୁ ସମାଧାନ କରିବା ପାଇଁ ବାରମ୍ବାର ସରକାରଙ୍କ ଧ୍ୟାନ ଆକର୍ଷିତ କରିବା ପରେ ମଧ୍ୟ କୌଣସି ଶୁଣାଣି ନହେବାରୁ ବାଧ୍ୟ ହୋଇ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି । ସେହିପରି ଅଧିବକ୍ତା କିର୍ତ୍ତିନାଥ ଶର୍ମା ପୌଡେଲ କହିଛନ୍ତି ଯେ ପୀଡିତଙ୍କୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ନେପାଳ ସୁପ୍ରିମକୋର୍ଟ ଗତ ସପ୍ତାହରେ ହିଁ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କ ଗିରଫଦାରୀ ଦାବି କରି ଯାଚିକା ଦାଖଲ କରିବାକୁ ଆଦେଶ ଦେଇଥିଲେ ।

ପ୍ରକାଶଯୋଗ୍ୟ, ତିନି ବର୍ଷ ପୂର୍ବେ ୧୫ ଜାନୁଆରୀ ୨୦୨୦ରେ କାଠମାଣ୍ଡୁରେ ଆୟୋଜିତ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ପ୍ରଚଣ୍ଡ ମାଓବାଦୀଙ୍କ ଦ୍ୱାରା ଚଲାଯାଇଥିବା ସଶସ୍ତ୍ର ବିଦ୍ରୋହ ସମୟରେ ମୃତ୍ୟବରଣ କରିଥିବା ୧୭ ହଜାର ଲୋକଙ୍କ ମଧ୍ୟରୁ ୫ହଜାର ନାଗରିକଙ୍କ ହତ୍ୟାର ଦାୟିତ୍ୱ ନେଇଥିଲେ ପ୍ରଚଣ୍ଡ । ପ୍ରଚଣ୍ଡ କହିଥିଲେ ଯେ ସଶସ୍ତ୍ର ବିଦ୍ରୋହ ସମୟରେ ମୃତ୍ୟୁବରଣ କରିଥିବା ୧୭ ହଜାର ଲୋକଙ୍କ ହତ୍ୟାର ଆରୋପ ତାଙ୍କ ଉପରେ ଲଗାଯାଉଛି ଯାହା କି ମିଛ ଅଟେ । ସେ କହିଥିଲେ ଯେ ୧୨ ହଜାର ନାଗରିକଙ୍କ ମୃତ୍ୟୁ ସରକାରୀ ଏଜେନ୍ସିଙ୍କ ଦ୍ୱାରା ଏବଂ ତତ୍କାଳୀନ ଶାସକଙ୍କ ଦ୍ୱାରା କରାଯାଇଥିଲା । କିନ୍ତୁ ସେ ଦୋଷ ମଧ୍ୟ ମୋ ଉପରେ ଲଗାଯାଉଛି ଯାହାକି ଠିକ୍ ନୁହେଁ । ସେ କେବଳ ୫ ହଜାର ହତ୍ୟାର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥିରୁ ସେ ପଛକୁ ହଟିବେ ନାହିଁ ଏବଂ ନାଁ ଏହି ଦାୟିତ୍ୱରୁ ସେ ପଛଘୁଞ୍ଚା ଦେବେ ।