ନେପାଳରେ ରାଜତନ୍ତ୍ର ପ୍ରତି ଆଗ୍ରହ,ଅର୍ଥନୈତିକ ଅସ୍ଥିରତା ଯୋଗୁ ରାଜତନ୍ତ୍ର ଆଡକୁ ଢଳୁଛନ୍ତି ଲୋକେ

1 min read

ନନ୍ଦିଘୋଷ ବ୍ୟୁରୋ:  ନେପାଳରେ ବଢୁଛି ରାଜା ଶାସନ ପ୍ରତି ଆଗ୍ରହ । ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ରାଜତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ । ଦେଶରେ ଅର୍ଥନୈତିକ ଅସ୍ଥିରତା ଓ ବର୍ତ୍ତମାନର ନେତାଙ୍କ ଉପରେ ଲୋକଙ୍କ ବିଶ୍ବାସର ଅଭାବକୁ କେନ୍ଦ୍ର କରି ଦେଶରେ ବଢୁଛି ଅସନ୍ତୋଷ । ଗତମାସଠାରୁ ଦେଶର ଅନେକ ସ୍ଥାନରେ ଜାରି ରହିଛି ବିକ୍ଷୋଭ । ସେପଟେ ରାଜତନ୍ତ୍ର ସପକ୍ଷବାଦୀ ଦଳ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ବା ଆରପିପି ଅଧ୍ୟକ୍ଷ ରାଜେନ୍ଦ୍ର ଲିଙ୍ଗଦେନ କହିଛନ୍ତି- ରାଜା ହେଉଛନ୍ତି ଜାତୀୟତାବାଦ ଓ ଗର୍ବର ପ୍ରତୀକ । ୨୦୧୭ରେ ଆରପିପି ଗୋଟିଏ ସାଂସଦ ପଦ ଜିଣିଥିବାବେଳେ ୨୦୨୨ ନିର୍ବାଚନରେ ଦଳ ୧୪ ଆସନ ହାତେଇବାରେ ସଫଳ ହୋଇଥିଲା । ରାଜତନ୍ତ୍ର ସପକ୍ଷରେ ଓ ହିନ୍ଦୁତ୍ବବାଦୀ ଆଭିମୁଖ୍ୟ ନେଇଥିବାରୁ ଦଳର ବିଶେଷ ସଫଳତା ହାସଲ କରିଥିଲା । ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଓ ପରିବାରର ସଦସ୍ୟଙ୍କୁ ହତ୍ୟା କରାଯିବା ପରେ ୨୦୦୧ରେ ଭାଇ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ରାଜା ହୋଇଥିଲେ । ୨୦୦୫ରେ ଜ୍ଞାନେନ୍ଦ୍ର ସମ୍ବିଧାନକୁ ରଦ୍ଦ କରିଥିଲେ ଏବଂ ପାର୍ଲାମେଣ୍ଟ ଭଙ୍ଗ କରିଥିଲେ । ଏହାକୁ ନେଇ ଦେଶରେ ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇଥିଲେ । ଶେଷରେ ୨୦୦୮ରେ ନେପାଳରେ ୨୪୦ ବର୍ଷର ହିନ୍ଦୁ ରାଜତ୍ବର ଅବସାନ ହୋଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।