ଭାରତ ସୀମାରେ ନେପାଳ ପୋଲିସର ଆଖିବୁଜା ଗୁଳିମାଡ,ଜଣେ ଭାରତୀୟଙ୍କ ମୃତ୍ୟୁ

1 min read

ସୀତାମଢ଼ି: ଭାରତ-ନେପାଳ ସୀମାକୁ ନେଇ ଚାଲିଥିବା ବିବାଦ ଭିତରେ ବିହାରର ସୀତାମଢ଼ିରୁ ବଡ ଖବର ଆସୁଛି । ସୂଚନା ମୁତାବକ ଜାନକୀନଗର ସୀମାରେ ନେପାଳ ପୋଲିସ ତରଫରୁ ଆଜି ଆଖିବୁଜା ଗୁଳିମାଡ ହୋଇଥିଲା । ଯେଉଁଥିରେ ବିଲରେ କାମ କରୁଥିବା ଜଣେ ଭାରତୀୟ କୃଷକ ପ୍ରାଣ ହରାଇଥିବା ବେଳେ ଅନ୍ୟଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି ।

ନେପାଳ ପୋଲିସର ଗୁଳିମାଡ

ସୂଚନା ମୁତାବକ ନାରାୟଣପୁର ଓ ଲାଲବନ୍ଦି ସୀମାରେ ଏହି ଗୁଳିକାଣ୍ଡ ହୋଇଛି । ପିପରା ପରସାଇନ୍ ପଂଚାୟତର ଜାନକୀନଗର ସୀମାରେ କିଛି କୃଷକ ନିଜ ବିଲରେ କାମ କରୁଥିଲେ । ଏହି ସମୟରେ ନେପାଳୀ ପୋଲିସ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲା । ଯେଉଁଥିରେ ଲାଲବନ୍ଦୀ ବାସିନ୍ଦା ନାଗେଶ୍ୱର ରାୟଙ୍କ ୨୫ ବର୍ଷୀୟ ପୁଅ ଡିକେଶ କୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଭାରତ-ନେପାଳ ସୀମା ବିବାଦ ମଧ୍ୟରେ ଗୁଳିକାଣ୍ଡ

ନେପାଳର ନୂଆ ନକ୍ସାକୁ ନେଇ ଭାରତ ଓ ପଡୋଷୀ ନେପାଳ ମଧ୍ୟର ଉତ୍ତେଜନା ଜାରି ରହିଛି । ନେପାଳ ନିଜ ନୂଆ ମ୍ୟାପରେ ଭାରତର ଅନେକ ଅଂଚଳକୁ ନିଜର ବୋଲି ଦେଖାଇଛି । ନେପାଳର ଏହି ପଦକ୍ଷେପକୁ ନେଇ ଦୁଇ ଦେଶଙ୍କ ମଧ୍ୟରେ ସଂପର୍କ ପ୍ରଭାବିତ ହୋଇଛି । ଭାରତ ଏହି ପ୍ରସଙ୍ଗରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ତେବେ ଆଲୋଚନା ମାଧ୍ୟମରେ ବିବାଦର ସମାଧନ ପାଇଁ ଉଦ୍ୟମ ହେବା ଉଚିତ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛି ।

Leave a Reply