ନେପାଳର ପୂର୍ବତନ ରାଜାଙ୍କୁ ପ୍ରଚଣ୍ଡଙ୍କ ଚେତାବନୀ: ଅତୀତରେ କରିଥିବା ଭୁଲ ଦୋହରାଅନି

1 min read

କାଠମାଣ୍ଡୁ: ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ସିପିଏନ-ମାଓଇଷ୍ଟ ସେଣ୍ଟର ନେତା ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ଚେତାବନୀ । ଅତୀତରେ କରିଥିବା ଭୁଲ ପରି ପୁଣି ଭୁଲ୍ ନ କରିବାକୁ ଦେଲେ ଚେତାବନୀ । ଏହାସହ ରାଜତନ୍ତ୍ର ସପକ୍ଷବାଦୀ ବାହିନୀକୁ ହିଂସାରୁ ନିବୃତ୍ତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ରାଜନୈତିକ ଦଳଗୁଡିକ ପ୍ରତି ରହିଥିବା ମନୋଭାବର ପରିବର୍ତ୍ତନ କରିବା ଲାଗି ସେ ଜ୍ଞାନେନ୍ଦ୍ରଙ୍କୁ ଆହ୍ବାନ ଦେଇଛନ୍ତି । ଏକ ସଭାରେ ଯୋଗ ଦେଇ ପ୍ରଚଣ୍ଡ କହିଛନ୍ତି, ରାଜତନ୍ତ୍ର ସପକ୍ଷବାବୀ ବାହିନୀ ଲୋକଙ୍କୁ ଆତଙ୍କିତ କରି ରଖୁଛନ୍ତି । ନିଜର ଭୁଲ୍ ଯୋଗୁଁ ଜ୍ଞାନେନ୍ଦ୍ର ଜଣେ ସାଧାରଣ ନାଗରିକ ଭାବେ ରହିଛନ୍ତି । ନେପାଳବାସୀଙ୍କ ଭାବାବେଗ ସହ ଖେଳନି । ଗଣତନ୍ତ୍ରର ସୁରକ୍ଷା, ଦୁର୍ନୀତିମୁକ୍ତ ଶାସନ ଲାଗି ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଚଣ୍ଡ କହିଛନ୍ତି ।

ପ୍ରଚଣ୍ଡଙ୍କୁ ସମର୍ଥନ କରିଛନ୍ତି ସିପିଏନ ୟୁନିଫାଏଡ ସୋସାଲିଷ୍ଟ ଅଧ୍ୟକ୍ଷ ମାଧବ କୁମାର ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି ସାଧାରଣ ସମ୍ପାଦକ ନେତ୍ର ବିକ୍ରମ ଚାନ୍ଦ । ବିଗତ ୨୦୦୮ରେ ୨୩୯ ବର୍ଷର ରାଜତନ୍ତ୍ରର ପତନ ଘଟିଥିଲା । ମାଓବାଦୀ ବିଦ୍ରୋହର ଅବସାନ ଲାଗି ୨୦୦୮ରେ ଚୁକ୍ତିନାମା ହେବା ପରେ ମାଓବାଦୀ ହିଂସାର ଅବସାନ ହୋଇଥିଲା । ୧୯୯୬ରୁ ୨୦୦୬ ମଧ୍ୟରେ ମାଓବାଦୀ ହିଂସାରେ ଦେଶରେ ପ୍ରାଣ ହରାଇଥିଲେ ପ୍ରାୟ ୧୭ ହଜାର ଲୋକ । ୨୦୦୮ରେ ହିନ୍ଦୁ ରାଷ୍ଟ୍ରରୁ ଏକ ଧର୍ମନିରପେକ୍ଷ, ସଂଘୀୟ ପ୍ରଜାତନ୍ତ୍ରରେ ପରିଣତ ହୋଇଥିଲା ନେପାଳ । ସେବେଠାରୁ ନେପାଳର ଶେଷ ରାଜା ଜ୍ଞାନେନ୍ଦ୍ର ନିଜ ପରିବାର ସହ ସାଧାରଣ ନାଗରିକ ଭାବେ କାଳତିପାତ କରିଆସୁଛନ୍ତି ।