ପୁଅ ହେବା ଖୁସିରେ ଦିଅଁ ଦର୍ଶନରେ ଯାଇଥିଲେ, ଆକାଶରେ ଜଲିଗଲେ..

ନନ୍ଦିଘୋଷ ବ୍ୟୁରୋ: ପୁଅ ହେବା ଖୁସିରେ ଦିଅଁ ଦର୍ଶନରେ ଯାଇଥିଲେ । ହେଲେ ସେ ଦର୍ଶନ ଯେ, ଶେଷ ଦର୍ଶନ ହେବ କିଏ ଜାଣିଥିଲା । ନେପାଳ ବିମାନ ଦୁର୍ଘଟଣାରେ ଚାଲିଯାଇଛି ଏମିତି ଜଣେ ପିତାଙ୍କ ଜୀବନ । ପୂର୍ବରୁ ୨ଟି ଝିଅ ହୋଇଥିବାବେଳେ ପୁଅ ପାଇଁ ମାନସିକ କରିଥିଲେ । ଆଉ ପୁଅ ହେବାରୁ ବୁଲି ଯାଇଥିଲେ ପଶୁପତିନାଥ । ଖୁସିରେ ବିମାନରେ ଭିଡିଓ ବି କରୁଥିଲେ । ଦୁର୍ଘଟଣା ବେଳର ସେ ଭିଡିଓ ଅଛି । କିନ୍ତୁ ସେ ଆଉ ନାହାଁନ୍ତି …

ମୃତ୍ୟୁ ଯେମିତି ଧାର୍ଯ୍ୟ ଥିଲା । ବସରେ ପୋଖରା ଯିବାକୁ ନିଷ୍ପତ୍ତି ନେଇଥିବାବେଳେ, ହଠାତ ନିଷ୍ପତ୍ତି ବଦଳାଇ ଦେଇଥିଲେ । ଶେଷ ସମୟରେ ବିମାନରେ ଯିବାକୁ ଟିକେଟ କରିଥିଲେ । ଆଉ ବିମାନ ଦୁର୍ଘଟଣାରେ ସୋନୁଙ୍କ ସମେତ ଆଖି ବୁଜିଛନ୍ତି ୫ ଭାରତୀୟ । ୫ଜଣଙ୍କ ମଧ୍ୟରେ ଜଣେ ଥିଲେ ସୋନୁ ଜୟସ୍ବାଲ୍। ସେ ପୁଅ ହେବା ଖୁସିରେ ନେପାଳର ପଶୁପତିନାଥ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ହେଲେ ଏହା ତାଙ୍କର ଶେଷ ଯାତ୍ରା ହେବ ବୋଲି ତାଙ୍କୁ ଜଣା ନଥିଲା। ରବିବାର ସକାଳେ ନେପାଳର ପୋଖରାଠାରେ ୟେତି ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେଥିରେ ସେ ଆଖି ବୁଜିଥିଲେ ।

୬ମାସ ପୂର୍ବେ ସୋନୁଙ୍କ ପୁଅ ହୋଇଥିଲା । ଜାନୁୟାରୀ ୧୦ରେ ନେପାଳ ଯିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଘରେ ପୁଅ ତ ଅଛି, କିନ୍ତୁ ମାନସିକ ପୂରଣ କରିବାକୁ ଯାଇଥିବା ବାପା ଆଉ ଫେରିଲେନି । ସୋନୁ ବାରାଣସୀର ସାରନାଥରେ ରହିଆସନ୍ତି । ବିମାନ ଦୁର୍ଘଟଣାରେ ସୋନୁଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅଭିଷେକ କୁଶୱା, ବିଶାଲ ଶର୍ମା ଏବଂ ଅନିଲ କୁମାର ରାଜଭର ମଧ୍ୟ ପ୍ରାଣ ହରାଇଛନ୍ତି। ଚାରିଜଣ ସାଙ୍ଗ ପଶୁପତିନାଥ ମନ୍ଦିର ଦର୍ଶନ କରିବା ପରେ ବସରେ ପୋଖରା ଯିବାକୁ ଯୋଜନା ରଖିଥିଲେ। କିନ୍ତୁ ହଠାତ ବିମାନରେ ଯିବା ନିଷ୍ପତ୍ତି ସେମାନଙ୍କୁ ଶେଷ ନିଶ୍ୱାସ ନେବାକୁ ବାଧ୍ୟ କରିଥିଲା ।