ପିଲାଙ୍କ ପାଇଁ ବୁଲିବାକୁ ଯାଇଥିଲେ, ଆଉ ଫେରିବେନି ତ୍ରିପାଠୀ ପରିବାର

କାଠମାଣ୍ଡୁ: ମନ ଯୋଡ଼ୁ ଯୋଡ଼ୁ ଦୁଃଖଦ ଅଧ୍ୟାୟର ଆରମ୍ଭ । ନେପାଳ ବିମାନ ଦୁର୍ଘଟଣା ନେଇ ଆସିଲା ଆଉ ଏକ ସ୍ପର୍ଶକାତର ବିଷୟ । ବିମାନରେ ଥିବା ଅଶୋକ ତ୍ରିପାଠୀଙ୍କ ପରିବାର ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଅଶୋକ ଓ ପତ୍ନୀ ବୈଭବୀଙ୍କ ମଧ୍ୟରେ ବହୁଦିନ ପୂର୍ବରୁ ହୋଇସାରିଛି ବିବାହ ବିଚ୍ଛେଦ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଦମ୍ପତି ପ୍ରତି ବର୍ଷ ୧୦ ଦିନ ପରିବାର ସହ ଛୁଟି କାଟିବା ଲାଗି ଯାଇଥାନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ସେମାନେ ଏଥର ମୁମ୍ବାଇରୁ ନେପାଳ ବୁଲିବାକୁ ଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନରେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା ଥିଲେ ବୋଲି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ନେପାଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ବିମାନରେ ୨୨ ଜଣ ଯାତ୍ରୀ ରହିଥିଲେ । ବିମାନ ଦୁର୍ଘଟଣା ପରେ ଆଜି ବିମାନ ଦୁର୍ଘଟଣାସ୍ଥଳରେ ସେନା ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ଦୁର୍ଘଟଣାସ୍ଥଳରୁ ୧୪ ମୃତଦେହ ମିଳିଛି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ।