ନେପାଳ ବିମାନ ଦୁର୍ଘଟଣା; ଫେସବୁକ୍ ଲାଇଭରେ କଏଦ ମୃତ୍ୟୁର ଚିତ୍ର

1 min read

ନେପାଳ: ମୃତ୍ୟୁର ମୁହୁର୍ତ୍ତ। ଆଖି ଆଗରେ ମୃତ୍ୟୁ ଆସୁଥିବ। କେତେ ଭୟାନକ ହୋଇଥିବ ସେ ଚିତ୍ର । ନେପାଳ ବିମାନ ଦୁର୍ଘଟଣାରେ ସାମ୍ନାକୁ ଆସିଛି ଠିକ ଏମିତି ଏକ ଦୃଶ୍ୟ । ସୋସିଆଲ ମିଡିଆରେ ରେକର୍ଡ ହୋଇଛି ଜୀବନ-ମୃତ୍ୟୁ ମଝିର କେଇ ସେକେଣ୍ଡର ଲୋମଟାଙ୍କୁରା ସମୟ। ବିମାନ କ୍ରାସ ହେବାର ମାତ୍ର ଗୋଟେ ମିନିଟ ଆଗରୁ ସୋସିଆଲ ମିଡିଆରେ ଲାଇଭ ଆସିଥିଲେ ଜଣେ ବିମାନଯାତ୍ରୀ । ହସହସ ମୁହଁରେ ଦେଖାଉଥିଲେ ବିମାନ ଲ୍ୟାଣ୍ଡିଂ କରିବାର ସମୟ । ହେଲେ କେଇ ସେକେଣ୍ଡରେ ସବୁକିଛି ବଦଳିଯାଇଥିଲା ।

ବିମାନର ସାଇଲେଣ୍ଟ ପିରିୟଡ଼ରେ ଖେଳିଯାଇଥିଲା ଆତଙ୍କ ଆଉ ଆର୍ତ୍ତ ଚିତ୍କାର । ହଠାତ ମାଡ଼ିଆସିଥିଲା ମୃତ୍ୟୁ । କ୍ରାସ ହୋଇଥିଲା ATR-72 । ବିମାନ ଦୁର୍ଘଟଣା ଲୋମଟାଙ୍କୁରା ମୁହୂର୍ତ୍ତର ସାକ୍ଷୀ ସାଜିଥିଲା ସୋସିଆଲ ମିଡିଆ । ପ୍ରତିଟି ଦୃଶ୍ୟ କଏଦ ହୋଇଥିଲା ସୋସିଆଲ ମିଡିଆ ଲାଇଭରେ । ଦୁର୍ଘଟଣା ଶେଷ ପର୍ଯ୍ୟନ୍ତ ଚାଲିଥିଲା ଲାଇଭ । ଏକ ମିନିଟ ୩୩ସେକେଣ୍ଡର ଏହି ଭିଡିଓରେ କଏଦ ହୋଇଛି ଦୁର୍ଘଟଣାର ପୂରା ଚିତ୍ର । ମୃତ୍ୟୁ କେତେ ଭୟଙ୍କର ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଲାଇଭ କରୁଥିବା ଯାତ୍ରୀଜଣଙ୍କ ୟୁପି ଗାଜିବାଦର ବୋଲି ଜଣାପଡ଼ିଛି । ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭୨ଜଣ । କାଠମାଣ୍ଡୁରୁ ଟୁରିଷ୍ଟ ସିଟି ପୋଖରା ଯାଉଥିବା ବିମାନର ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଯାଇଛି ୫ ଭାରତୀୟଙ୍କ ସମେତ ୧୫ ବିଦେଶୀଙ୍କ ଜୀବନ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସୈନ୍ୟ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୟେତି ଏୟାରଲାଇନ୍ସ ଆଜିଠୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିମାନସେବା ବନ୍ଦ ରଖିଛି ।