ମିଳିଲା ଗୋଆରୁ ନିଖୋଜ ନେପାଳ ମେୟରଙ୍କ ଝିଅଙ୍କ ସନ୍ଧାନ
1 min read
ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ନେପାଳ ମେୟରଙ୍କ ଝିଅ ନିଖୋଜର ଦୁଇ ଦିନ ପରେ ଉଦ୍ଧାର ହୋଇଛନ୍ତି । ନେପାଳର ଧାନଗଢିର ମେୟର ଗୋପାଳ ହମାଲଙ୍କ ଝିଅ ହେଉଛନ୍ତି ଆରତୀ ହମାଲ। ସେ ଗତ କିଛି ମାସ ଧରି ଓଶୋ ଆଶ୍ରମରେ ରହୁଥିଲେ।
ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଗୋପାଳ । ମୋ ବଡ଼ ଝିଅ ମିଳିଯାଇଛି, ସେ ଏବେ ସୁସ୍ଥ। ମୋ ଝିଅକୁ ଖୋଜିବାରେ ସାହାଯ୍ୟ କରିଥିବା ଗୋଆ ବାସୀ ତଥା ଗୋଆରେ ରହୁଥିବା ସମସ୍ତ ନେପାଳୀ ଭାଇ-ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି ।
ଉଲ୍ଲେଖଯୋଗ୍ୟ, ଆରତୀ ଗତ କିଛି ମାସ ଧରି ଗୋଆରେ ରହୁଥିଲେ | ତାଙ୍କୁ ଶେଷ ଥର ପାଇଁ ମାର୍ଚ୍ଚ ୨୫ରେ ଗୋଆର ଅଶ୍ୱେମ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ତା’ପରଠାରୁ ତାଙ୍କର କୌଣସି ଖୋଜଖବର ନଥିଲା। ନେପାଳର ଖବରକାଗଜ ହିମାଳୟ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସେ ଗତ କିଛି ମାସ ଧରି ଓଶୋ ମେଡିଟେସନ ସେଣ୍ଟରରେ ରହିଆସୁଥିଲେ।
ପୂର୍ବରୁ ଧାନଗଢି ମେୟର ଗୋପାଳ ହମାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରିବା ସହ ଝିଅ ସମ୍ପର୍କରେ ସୂଚନା ପାଇବା ପାଇଁ ଫୋନ୍ ନଂ ମଧ୍ୟ ଜାରି କରିଥିଲେ । ‘‘ମୋର ବଡ଼ ଝିଅ ଆରତୀ ଜଣେ ଓଶୋ ଧ୍ୟାନକାରୀ, ଯିଏକି ଗୋଆରେ କିଛି ମାସ ଧରି ରହିଆସୁଥିଲେ। ମୁଁ ତାଙ୍କ ବନ୍ଧୁଙ୍କଠାରୁ ଆରତୀଙ୍କ ନିଖୋଜ ସମ୍ପର୍କରେ ଖବର ପାଇଥିଲି। ମୁଁ ବିନମ୍ର ଭାବେ ଅନୁରୋଧ କରୁଛି ଯେ ଗୋଆରେ ରହୁଥିବା ଲୋକମାନେ ମୋ ଝିଅ ଆରତୀକୁ ଖୋଜିବାରେ ସାହାଯ୍ୟ କରନ୍ତୁ’’।