୮୨ ପ୍ରତିଶତ ହିନ୍ଦୁ ଥିବା ଦେଶରେ ଲାଗୁହେଲା ୩ ସନ୍ତାନ ଜନ୍ମ କରିବା ନୀତି

ନନ୍ଦିଘୋଷ ବ୍ୟୁରୋ :  ୮୨ ପ୍ରତିଶନ ହିନ୍ଦୁ ଥିବା ଦେଶ ନେପାଳରେ ରାଷ୍ଟ୍ରୀୟ ଜନସଂଖ୍ୟା ନୀତିକୁ ସର୍ବଜନିନ କରାଯାଇଛି । ଏଥିରେ ୩ଟି ସନ୍ତାନ ଜନ୍ମ କରିବାର ନୀତି ଲାଗୁ କରାଯାଇଛି । ଏହି ନୀତିକୁ ଘୋଷଣା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ସରକାରଙ୍କ ଅନୁସାରେ ନେପାଳର ଜନସଂଖ୍ୟା ୨.୯୭ କୋଟି ରହିଛି । ନେପାଳ ଭାରତ ଓ ଚୀନ ସୀମାନ୍ତରେ ଥିବା ଏକ ହିନ୍ଦୁ ବହୁଳ ଦେଶ ।

ଜନସଂଖ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଓଲି କ’ଣ କହିଛନ୍ତି ?

ଜନସଂଖ୍ୟା ଦିବସ ଅବସରରେ ଏକ ସଭାକୁ ସମ୍ବୋଧନ କରି ଓଲି କହିଛନ୍ତି, ଛୁଆ ଜନ୍ମ କରିବାକୁ ଆମେ ଆହ୍ବାନ ଦେଇଥିଲୁ । ଯାହାକୁ ଲୋକ ଭୁଲ ବୁଝିଥିଲେ । କିନ୍ତୁ ବର୍ତ୍ତମାନ ଲୋକ ବିବାହ କରିବାକୁ କି ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି । ଯାହାଫଳରେ ଦେଶର ବିକାଶ ଅଟକି ଯିବ ।

ଏବେ ୨୦ ବର୍ଷକୁ ବିବାହ ସ୍ଥିର କରାଯାଇଛି । ଯୁବକମାନଙ୍କୁ ୨୦ରୁ ୩୦ ବର୍ଷ ଭିତରେ ବିବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବିବାହ କରିବାର ବୟସ ସର୍ବାଧିକ ୩୦ ରଖନ୍ତୁ । ଯଦି ଏହା ଠାରୁ ଅଧିକ ବୟସରେ ବିବାହ କରିବେ ତାହା ହେଲେ ଭୁଲ ହେବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ୩ଟି ସନ୍ତାନ ଜନ୍ମ କରିବା ପାଇଁ ନୀତି ଲାଗୁ କରିଥିବା କଥା ପ୍ରଧାନମନ୍ତ୍ରୀ ଓଲି କହିଥିବା ଜଣାପଡିଛି । ଯୁବକମାନେ ଯେକୌଣସି ଦେଶକୁ ଆଗକୁ ନେଇପାରିବେ । ଏହା ଉପରେ ଏକ କଠୋର ନିୟମ ଆଣିବା କଥା ମଧ୍ୟ ସେ କହିଛନ୍ତି ।

ମାନବ ସଭ୍ୟତା ପାଇଁ ଜନ୍ମ ଅଧିକ ଗୁରୁତ୍ବପୂର୍ଣ୍ଣ । ସଭ୍ୟତାକୁ ବଞ୍ଚାଇବାକୁ ହେଲେ ଏହା ପ୍ରତି ଗୁରୁତ୍ବ ଦେବା ଦରକାର ବୋଲି ଓଲି କହିଛନ୍ତି ।

ଜନ୍ମହାରକୁ ନେଇ ନେପାଳ ସରକାର ଏତେ ଚିନ୍ତିତ କାହିଁକି ?

ନେପାଳର ଜନସଂଖ୍ୟା ପାଖାପାଖି ୩ କୋଟି ହେବ  ।   କିନ୍ତୁ ସେଠାକାର ସରକାର ଜନ୍ମହାରକୁ ନେଇ ଚିନ୍ତିତ ଅଛନ୍ତି । ନେପାଳରେ ଜନ୍ମହାର ସଂଖ୍ୟା କମିବାରେ ଲାଗିଛି । ୨୦୨୨ରେ ନେପାଳର ଜନ୍ମହାର ସଂଖ୍ୟା ୧୯.୬୪ ଥିଲା ଆଉ ଏହା ୨୦୨୫ ବେଳକୁ ୧୭ରେ ପହଞ୍ଚିଛି ।