ନନ୍ଦିଘୋଷ ବ୍ୟୁରୋ ; ନେପାଳରେ ଆଜି ସାଧାରଣ ନିର୍ବାଚନ। ନୂଆ ସରକାର ଲାଗି କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ଜେନ ଜେଡ ଆନ୍ଦୋଳନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବା, କମ୍ୟୁନିଷ୍ଟ ପାର୍ଟି ସିପିଏନ-ୟୁଏମଏଲ ନେତା କେ.ପି. ଶର୍ମା ଓଲି ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ନେତା ପୁଷ୍ପ କମଲ ଦହଲଙ୍କ ହୋଇଛି ଅଗ୍ନିପରୀକ୍ଷା। ଏହା ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ନେତା ରବି ଲାମଚିହାନେଙ୍କ ଲାଗି ବି ଏହା ଅଗ୍ନିପରୀକ୍ଷା ହୋଇଛି। ଚଳିତ ନିର୍ବାଚନକୁ ନିରପେକ୍ଷ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି ଗୃହମନ୍ତ୍ରୀ ଓମ ପ୍ରକାଶ ଆରିଆଲ ଓ କାମଚଳା ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ। ଗତବର୍ଷ ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ୭୩ ବର୍ଷ ବୟସ୍କା କାର୍କି। କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। ଦେଶରେ ଦୁର୍ନୀତି ଓ ସୋସିଆଲ ମିଡିଆ ନିଷିଦ୍ଧ ପରେ ଆରମ୍ଭ ହୋଇଥିଲା ଜେନ ଜେଡ ଆଦୋଳନ। ଗତବର୍ଷ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିଲା ଜେନ ଜେଡ ଆନ୍ଦୋଳନ। ପରଦିନ ଇସ୍ତଫା ଦେଇଥିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି। ସେପ୍ଟେମ୍ବର ୧୦ରେ ସୁଶୀଳା କାର୍କି ହୋଇଥିଲେ ନୂଆ କାମଚଳା ପ୍ରଧାନମନ୍ତ୍ରୀ। ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ, ହ୍ବାଟସଆପ, ଏକ୍ସ, ଲିଙ୍କଡଇନ, ସ୍ନାପଚାଟ, ରେଡିଟ ଆଦି ବ୍ୟାନ କରାଯିବା ପ୍ରତିବାଦରେ ଦେଶରେ ଦେଖାଦେଇଥିଲା ଆନ୍ଦୋଳନ।

