ଓଡ଼ିଶା ଉପରେ ପଡୋଶୀଙ୍କ ଲୋଲୁପ ଦୃଷ୍ଟି

ଭୁବନେଶ୍ବର : ଓଡ଼ିଶା ଉପରେ ପଡିଶାର ଲୋଲୁପ ଦୃଷ୍ଟି । ଜଙ୍ଗଲ,ଜମି,ପାଣି ଓ ଖଣି ଉପରେ ନଜର । ତୁଟୁନି କୋଟିଆ, ମହାନଦୀ, ପୋଲାଭରମ ବିବାଦ । ସରକାରଙ୍କ ଉପରେ ବର୍ଷିଲେ ବିଜେଡି ଓ କଂଗ୍ରେସ । ରାଜସ୍ବ ମନ୍ତ୍ରୀ କହିଲେ କେନ୍ଦ୍ରକୁ ଜଣାଇଛୁ । କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ମହାନଦୀକୁ ନେଇ ଛତିଶଗଡର ମନମାନି, ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ଏକପାଖିଆ କାମ କରିବାରେ ଲାଗିଛି । ସୀମାବର୍ତ୍ତୀ ଜିଲ୍ଲା ମାନଙ୍କରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଦେଢବର୍ଷର ବିଜେପି ସରକାରରେ ସମସ୍ୟା ପରେ ସମସ୍ୟା ବଢୁଛି । ହେଲେ ସମାଧାନର ବାଟ ଶୂନ । କେଉଁଠି ପଡୋଶୀ ପାଇଁ ବୁଡିବ ଓଡ଼ିଶା ତ ଆଉ କେଉଁଠି ଜମି ଚାଲିଯିବ । ଓଡିଶାର ସ୍ବାର୍ଥକୁ ଅଣଦେଖା କରିଚାଲିଛନ୍ତି ବିଜେପି ସରକାର । ଲୁଟ ହୋଇ ଚାଲିଛି ପ୍ରାକୃତିକ ସମ୍ପଦ । ଏସବୁ ସୁରକ୍ଷା ଦେବାକୁ ତୁରନ୍ତ ରାଜ୍ୟ ସରକାର ଆଗେଇ ଆସିବାକୁ ଦାବି କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଓଡିଶାର ଜମିକୁ ବାହାର ରାଜ୍ୟ ମାଡି ବସିବା ନେଇ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ବିଜେଡି ଉପରେ କେବଳ ଦୋଷ ଲଦିଲେ ହେବନାହିଁ । ୨୦୦୦ ମସିହାରୁ ୨୦୦୯ ପର୍ଯନ୍ତ ବିଜେପି ବିଜେଡି ସହ ମିଳିତ ଭାବରେ ସରକାରରେ ଥିଲା । ରାଜସ୍ବ ବିଭାଗ ମଧ୍ୟ ତାଙ୍କ ଅଧୀନରେ ଥିଲା । ହେଲେ ସେମାନେ ସମାଧାନର ବାଟ କାଢିଲେନି । ସରକାର ଲୋକଙ୍କୁ ଏ ବାବଦରେ ଅବଗତ କରାଇବାକୁ ଚାହୁଁ ନାହାନ୍ତି । ବିଜେଡି କିନ୍ତୁ ଏହା ବିରୋଧରେ ଲଢେଇ କରୁଛି । ପିସିସି ସଭାପତି କହିଛନ୍ତି ସରକାର ତୁରନ୍ତ ଏସବୁ ସମସ୍ୟାର ସମାଧାନ କରନ୍ତୁ ।
ସେପଟେ ଓଡ଼ିଶାର ଜମି କୌଣସି ପ୍ରଦେଶ ନେଇପାରିବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ରାଜ୍ୟ ସରକାର ଏ ବାବଦରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିସାରିଲେଣି । ସୁପ୍ରିମକୋର୍ଟରେ କେସ ମଧ୍ୟ ହୋଇଛି । ସବୁ ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ଆଗକୁ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆଇନ ଆଣିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଓଡିଶା ଉପରେ ପଡିଶାଙ୍କ ଲୋଲୁପ ଆଖିକୁ ନେଇ ଶାସକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । କିନ୍ତୁ ରାଜ୍ୟର ହକ ପାଇଁ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ ବୋଲି କହିଦେଇଛି ।