ମରଣଯନ୍ତା ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ; ପ୍ରତିଦିନ ଘଟୁଛି ଦୁର୍ଘଟଣା, ଏନଏଚ କର୍ତ୍ତୃପକ୍ଷଙ୍କ ନିଘା ନାହିଁ
ନନ୍ଦିଘୋଷ ବ୍ୟୁରୋ: ମରଣଯନ୍ତା ପାଲଟିଛି ୨୦ ନମ୍ବର ଜାତୀୟ ରାଜପଥ । କେନ୍ଦୁଝର ରିମୁଳିରୁ ଚମ୍ପୁଆ ୧୫ କିମି ରାସ୍ତା ଏନଏଚରେ ସାମିଲ ହୋଇଥିଲେ ସୁଦ୍ଧା ବିକାଶର ଚିହ୍ନବର୍ଣ୍ଣ ନାହିଁ । ଖାଲଖମା ଭରା ରାସ୍ତାରେ ପ୍ରତିଦିନ ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ । ବାରମ୍ବାର ଦାବି ପରେ ବି ରାସ୍ତା ପ୍ରଶାସ୍ତିକରଣ ପାଇଁ ତତ୍ପରତା ଦେଖାଉନି ଏନଏଚ କର୍ତ୍ତୃପକ୍ଷ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ରିମୁଳିରୁ ଚମ୍ପୁଆ ୧୫ କିମି ରାସ୍ତାକୁ ୨୦ ନମ୍ବର ଜାତୀୟ ରାଜପଥରେ ଯୋଡି ଯାଇଛି । ମାତ୍ର ଘୋଷଣା କରି ବିଭାଗ ଏହାର ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦେଉ ନଥିବାରୁ ଯଥା ପୂର୍ବଂ ତଥା ପରଂ ସ୍ଥିତି । ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ । ଓ୍ବାନ ଓ୍ବେ ଥିବାରୁ ଯିବା ଆସିବା କରିବାକୁ ଡରୁଛନ୍ତି ଲୋକେ। ଶହଶହ ଟ୍ରଲର, ଟ୍ରକ ରାସ୍ତା ଦେଇ ଯାଉଥିବାରୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।
ବିପର୍ଯ୍ୟସ୍ତ ରାସ୍ତାରେ ଦୈନିକ ଘଟୁଛି ଦୁର୍ଘଟଣା । କିଏ ଜୀବନ ହାରୁଛି ତ କିଏ ପଙ୍ଗୁ ହୋଇ ଯାଉଛି । ତଥାପି ଚେତୁ ନାହାଁନ୍ତି ଏନଏଚ କର୍ତ୍ତୃପକ୍ଷ । ଚମ୍ପୁଆ ଉପଖଣ୍ଡର ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାରେ ଦୈନିକ ହଜାର ହଜାର ଭାରିଯାନ ଖଣିଜ ପଦର୍ଥ ପରିବହନ କରୁଛି । ଫଳରେ ରାସ୍ତା ଜାମ ସମସ୍ୟା ଦେଖାଦେଉଛି । ବାରମ୍ବାର ରାସ୍ତାର ପ୍ରଶସ୍ତିକରଣ ପାଇଁ ଦାବି ହୋଇଥିଲେ ସୁଦ୍ଧା ଏନଏଚ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ରାସ୍ତା ସମସ୍ୟା ସମ୍ପର୍କରେ ପଚାରିବାରୁ କ୍ୟାମେରା ଆଗରେ ମୁହଁ ଖୋଲି ନଥିଲେ ଏନଏଚ ଅଧିକାରୀ ।

