ପୂଜ୍ଯପୂଜାଙ୍କୁ ସମ୍ମାନ ଦେବାରେ ବଡ଼ ଅବହେଳା, ସରକାରଙ୍କ ଉପରେ ବର୍ଷିଲା ସିଟିଜେନ୍ସ ଫୋରମ

ଭୁବନେଶ୍ବର : ଓଡ଼ିଆ ଅସ୍ମିତା ଓ ପୂଜ୍ୟପୂଜାକୁ ସମ୍ମାନ ଦେବାରେ ବଡ଼ ଅବହେଳା। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଦୂରର କଥା ପୂଜ୍ଯପୂଜାଙ୍କୁ ସମ୍ମାନ ଦେଉନାହାନ୍ତି ସରକାର। ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ତଥା ଓଡ଼ିଆ ଜାତିର ଗୌରବ ମା ରମାଦେବୀଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାକୁ ପୂର୍ବ ବିଜେଡି ସରକାର ନେଇଥିଲେ ନିଷ୍ପତ୍ତି। ହେଲେ ଜୟନ୍ତୀ ପ୍ରତି ବର୍ତ୍ତମାନର ସରକାର ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି। ଏପ୍ରିଲ ୨୭ରେ ସଂସ୍କୃତି ନିର୍ଦ୍ଦେଶାଳୟକୁ ଚିଠି ଲେଖିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ରାଜ୍ୟରେ ରମା ଦେବୀଙ୍କ ଜୟନ୍ତୀ ପାଳନ ସହ କଟକ ଗୁଣନିଧି ଭବନରେ ମ୍ୟୁଜିଅମ ପ୍ରତିଷ୍ଠା ଆଦି ସମ୍ପର୍କରେ କୁହାଯାଇଥିଲା। କିନ୍ତୁ ସରକାର କିମ୍ବା ସଂସ୍କୃତି ବିଭାଗ କୌଣସି ଗୁରୁତ୍ୱ ଦେଉ ନାହାଁନ୍ତି। ଯେଭଳି ପୂର୍ବର ବିଜେଡି ସରକାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋକୁ ଏକ ଜାତୀୟ ତୀର୍ଥକ୍ଷେତ୍ର ରୂପେ ପରିଣତ କରିଛନ୍ତି ସେଭଳି ଓଡ଼ିଆ ଅସ୍ମିତାର ଭୀଷ୍ମ ପିତାମହ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରକୁ ରାଜ୍ଯ ସରକାର ସେହିଭଳି କରିବାକୁ ଦାବି କରାଯାଇଛି। ପୂର୍ବ ସରକାର ସମୟରେ ସତ୍ୟଭାମାପୁରର ଉନ୍ନତି ପାଇଁ ଅର୍ଥବରାଦ ହୋଇଥିଲା।  ସରକାର ଅଧିକ ଅର୍ଥ ଦେଇ ସତ୍ୟଭାମାପୁରର ଉନ୍ନତି କରନ୍ତୁ ବୋଲି ଦାବି ରଖିଛି ଉତ୍କଳ ସମ୍ମିଳନୀ। ହରେକୃଷ୍ଣ ମହତାବଙ୍କ ୪୦ ଫୁଟର ପ୍ରତିମୂର୍ତ୍ତି କରିବାକୁ ସଂସ୍କୃତି ମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ସତ୍ୟଭାମାପୁରରେ କାହିଁକି କରା ନ ଯିବ ବୋଲି ପ୍ରଶ୍ନ ଉଠାଇଛି ଉତ୍କଳ ସମ୍ମିଳନୀ। ଗୁଜୁରାଟରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଭଳି ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି କରାଯାଉ ବୋଲି କହିଛି ସମ୍ମିଳନୀ।

ସେପଟେ ପୂଜ୍ୟପୂଜାଙ୍କୁ ନେଇ କିଛି ଅଭିସନ୍ଧି ରଖି ସରକାର କାର୍ଯ୍ୟ କରିବା ଅନୁଚିତ କହିଛି ଓଡିଶା ସିଟିଜେନ୍ସ ଫୋରମ। ରାଜ୍ୟ ସରକାର ନିମ୍ନ ରାଜନୀତି କରୁଛନ୍ତି। ସବୁଥିରେ ପାତରଅନ୍ତର କରୁଛନ୍ତି। ପାଞ୍ଚ ମାସରୁ ଅଧିକ ସମୟ ଧରି କ୍ଷମତାକୁ ଆସିଥିଲେ ମଧ୍ୟ ଓଡ଼ିଆ ଅସ୍ମିତାକୁ ନେଇ ଏ ଯାଏ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ନାହିଁ। ଓଡ଼ିଆ ଅସ୍ମିତା ବିଜେପିର କେବଳ ପ୍ରଚାର ପ୍ରସାର ବୋଲି ଅଭିଯୋଗ ହୋଇଛି। ଓଡ଼ିଶାବାସୀ ଏହାର ତୀଵ୍ର ପ୍ରତିବାଦ କରିବେ ବୋଲି ଚେତାଇ ଫୋରମ। ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାମନିଷୀଙ୍କୁ ସମ୍ମାନ ହେଉ କିମ୍ବା ଓଡ଼ିଆ ଭାଷାର ବହୁଳ ବ୍ୟବହାର ହେଉ କିମ୍ବା ସୀମା ସୁରକ୍ଷା।  ଓଡ଼ିଶାର କ୍ଷତି ହେବା ଭଳି କୌଣସି କାର୍ଯ୍ୟକୁ ରୋକିବାକୁ ରାଜ୍ୟ ସରକାର ବିଫଳ ହେଉଥିବାରୁ ଏହାକୁ ନେଇ ରାଜ୍ଯରେ ବ୍ଯାପୁଛି ଅସନ୍ତୋଷ।