ନିଟକୁ ନେଇ ଜାରି ରହିଛି ସାରା ଦେଶରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ନିଟକୁ ନେଇ ବଢୁଛି ବିବାଦ। କେନ୍ଦ୍ର ବିରୋଧରେ ଏକ ହେବାରେ ଲାଗିଛନ୍ତି ବିରୋଧୀ। ନିଟରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ। ନିଟ ବିବାଦ ପରିପ୍ରେକ୍ଷୀରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ଡିଏମକେ ଅଭିଯୋଗ କରିଛି। ଏପରିକି ବିଭିନ୍ନ କୋଚିଂ ସେଣ୍ଟରକୁ ଏନଟିଏ ପ୍ରୋତ୍ସାହନ ଦେଇଆସୁଛି ବୋଲି କହିଛି ଦଳ। ସେହିପରି କଂଗ୍ରେସ ବି ସୁପ୍ରିମକୋର୍ଟ ନେତୃତ୍ବରେ ତଦନ୍ତ କରାଯାଉ ବୋଲି ଦାବି କରିଛି। ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ରଖିବା ସହ ପେପର ଲିକ୍ ହୋଇଥିବା ଅଭିଯୋଗ ନେଇ ସାରା ଦେଶରେ ଜାରିରହିଛି ତମ୍ବି ତୋଫାନ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ନିଟ୍ ସ୍କାମ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର କରିଦେଇଛି। ସେହିପରି ଏହି ମାମଲାରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏହି ସ୍କାମ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମଧ୍ଯ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି। ଆସନ୍ତା ଜୁଲାଇ ୬ରେ ମେଡିକାଲ କଲେଜଗୁଡିକରେ ସିଟ୍ ଲାଗି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ସୁପ୍ରିମକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଜୁଲାଇ ୮ରେ ହେବ। ସେପଟେ ନିଟ ଅନିୟମିତତା ବିରୋଧରେ ଅଗରତାଲା ଓ ଦିଲ୍ଲୀରେ ପ୍ରତିବାଦ ଆନ୍ଦୋଳନ ହୋଇଛି।