ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ, ନିରାଶ କଲେ ଓଡ଼ିଆ ପୁଅ କିଶୋର

ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଭାରତର ଜାଭଲିନ୍‌ ବୟ ନୀରଜ ଚୋପ୍ରା । ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ସେପଟେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା ।

ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଦୁଇ ବର୍ଷ ପରେ ନୀରଜ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି । ଏହାଦ୍ବାରା ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତା ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା ଓ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଯାଇଛି । ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି । ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ତାଙ୍କ ଦ୍ବିତୀୟ ପ୍ରୟାସରେ  ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ଏହି ସଫଳତା ପାଇଛନ୍ତି । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ଅର୍ଶଦ ନଦୀମ  ୮୭.୮୨ ମିଟର ଥ୍ରୋ କରି ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ଥ୍ରୋ କରି କାଂସ୍ୟ ପଦକ ଜିତିଛନ୍ତି ।

ଅନ୍ୟପକ୍ଷେ, କିଶୋର ପ୍ରତିଯୋଗିତାରେ ପଦକ ତାଲିକାରେ ନାଁ ଲେଖି ପାରିନାହାନ୍ତି । ଦମ୍‌ଦାର ପ୍ରଦର୍ଶନ ସହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରି  ପଞ୍ଚମ ସ୍ଥାନରେ ରହିଥିଲେ । ଅନ୍ୟତମ ଫାଇନାଲିଷ୍ଟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।