ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ ସହ ପାରିସ୍ ଅଲିମ୍ପିକ ପାଇଁ କ୍ୱାଲିଫାଏ କଲେ ନୀରଜ ଚୋପ୍ରା

1 min read

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ର କ୍ୱାଲିଫାଇଙ୍ଗ ରାଉଣ୍ଡରେ ଶୁକ୍ରବାର ୮୮.୭୭ ମିଟର ଥ୍ରୋ କରିଛନ୍ତି । ଏଥିସହିତ ହିଁ ସେ ପ୍ୟାରିସ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଛନ୍ତି । ନୀରଜ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନିଜ ସ୍ଥାନ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକର ଆରମ୍ଭ ୨୬ ଜୁଲାଇ ୨୦୨୪ରୁ ହେବାକୁ ଯାଉଛି । ହଙ୍ଗରୀର ବୁଡାପେଷ୍ଟରେ ଜାରି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ କ୍ୱାଲିଫାଇଙ୍ଗ ରାଉଣ୍ଡର ନିଜର ପ୍ରଥମ ପ୍ରୟାସରେ ହିଁ ୮୮.୭୭ ମିଟର ଥ୍ରୋ କରିଥିଲେ ।

ଯାହା କି ତାଙ୍କ ସିଜିନର ବେଷ୍ଟ ମଧ୍ୟ ଅଟେ ।  ଅଲିମ୍ପିକ, ଏସିଆନ ଗେମ୍ସ ଏବଂ କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ ଜିତିବା ବ୍ୟତୀତ ୨୫ ବର୍ଷୀୟ ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଚାମ୍ପିଅନ ମଧ୍ୟ ରହିଛନ୍ତି । ନୀରଜ ଚୋପ୍ରା ଫାଇନାଲ୍ ପାଇଁ କ୍ୱାଲିଫାଏ ହେବା ସହ ହିଁ ଭାରତକୁ ଏହି ଚାମ୍ପିଅନସିପରେ ପଦକ ଜିତିବାର ଆଶା ମଧ୍ୟ ବଢ଼ିଯାଇଛି । କାରଣ ବର୍ତ୍ତମାନ ସୁଦ୍ଧା କୌଣସି ବି ଭାରତୀୟ ଖେଳାଳି ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତିନାହାନ୍ତି । ଅବଶ୍ୟ ନୀରଜ ଚୋପ୍ରା ଗତ ବର୍ଷ ଓରେଗନରେ ହୋଇଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ରୌପ୍ୟ ପଦକ ଜିତିଥିଲେ ।

୧୯ ବର୍ଷର ଅପେକ୍ଷା ପରେ ସେ ଗତବର୍ଷ ପ୍ରଥମଥର ପାଇଁ ରୌପ୍ୟ ପଦକ ଜିତିଥିଲେ । ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପରେ ନୀରଜଙ୍କ ବ୍ୟତୀତ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଆଣ୍ଡରସନ ପିଟର୍ସ, ଲଣ୍ଡନ ୨୦୧୨ ଅଲିମ୍ପିକ ଚମ୍ପିଆନ ତ୍ରିନିଦାଦ ଏବଂ ଟୋବାଗୋର କେଶୋର୍ଣ୍ଣ ବାଲକାଟ, ଜର୍ମାନୀର ବିଶ୍ୱର ନମ୍ବର-୨ ଜୁଲିୟନ ୱେବର ଏବଂ ପାକିସ୍ତାନର ଅରଶଦ ନଦୀମ ସାମିଲ ଅଛନ୍ତି । ଫାଇନାଲରେ କଡ଼ା ଟକ୍କର ଦେଖିବାକୁ ମିଳିବ ।