ଗାଡ଼ି ଫିଟନେସ୍ ପାଇଁ ଯିବାକୁ ପଡ଼ିବନି ଆରଟିଓ ଅଫିସ୍, ସ୍ୱୟଂଚାଳିତ ହେବ ଟେଷ୍ଟିଂ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଏଣିକି ସହଜ ହେବ ଯାନବାହନର ଫିଟନେସ୍ ଟେଷ୍ଟ । ଦରକାର ପଡ଼ିବେ ନାହିଁ ମେକାନିକ୍ କି ଦୌଡ଼ିବାକୁ ପଡ଼ିବନି ଆରଟିଓ ଅଫିସ । ସ୍ବୟଂଚାଳିତ ହେବ୍ ଟେଷ୍ଟିଂ ପ୍ରକ୍ରିୟା । ସ୍ବତନ୍ତ୍ର ଡିଭାଇସ୍ ଜରିଆରେ କରାଯିବ ଯାନବାହନର ଫିଟନେସ ଟେଷ୍ଟିଂ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ସ୍ବତନ୍ତ୍ର ଅଟୋମେଟେଡ୍ ଟେଷ୍ଟିଂ ସିଷ୍ଟମ ବା ଏଟିଏସ ଆପଣାଇବେ ରାଜ୍ୟ ସରକାର ।

ଏଥିପାଇଁ ଚିଠାନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ଚିଠା ନୀତି ପ୍ରସ୍ତୁତ ହେବ । ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏଟିଏସ ସେଣ୍ଟର । ଏଥିପାଇଁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । କଟକର ଅରିଲୋଠାରେ ଥିବା ଇନ୍ସପେକ୍ସନ୍ ଆଣ୍ଡ ସାର୍ଟିଫିକେସନ୍ ସେଣ୍ଟରକୁ ଏଟିଏସରେ ପରିଣତ କରାଯିବ ।

ଏହି ନୀତି ଲାଗୁ ହେଲେ ଗାଡ଼ିର ବୟସ କେତେ ? ଗାଡ଼ି ଫିଟ୍ କି ଅନଫିଟ୍ ? ଏ ସମ୍ପର୍କରେ ସବୁ ତଥ୍ୟ ପ୍ରଦାନ କରିବ ସ୍ବୟଂଚାଳିତ ବ୍ୟବସ୍ଥା। ନିୟମକୁ ନେଇ ସଡ଼କ ସୁରକ୍ଷା କର୍ମୀ ଖୁସି ପ୍ରକାଶ କରିଥିବାବେଳେ ଏହାକୁ ବିରୋଧ କରିଛନ୍ତି ଗାଡ଼ି ମାଲିକ । ସ୍ବୟଂଚାଳିତ ବ୍ୟବସ୍ଥା ଦ୍ବାରା ସମସ୍ୟା ବଢିବ ବୋଲି ସେମାନେ କହିଛନ୍ତି ।