ଅଣ୍ଡାର ଦର ବଢ଼ାଉନି ଏନ୍‌ଇସିସି: ଉତ୍ପାଦନ ଖର୍ଚ୍ଚରୁ କମ୍ ଦାମରେ ଅଣ୍ଡା ବିକ୍ରି କରୁଛନ୍ତି ଚାଷୀ

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡାଦିଆ କୁକୁଡ଼ା ଚାଷୀଙ୍କ ଅବସ୍ଥା ଦିନକୁ ଦିନ ସଙ୍ଗୀନ ହୋଇଚାଲିଛି । ଦେଶ ବ୍ୟାପୀ ଅଣ୍ଡାର ଦର ସ୍ଥିର କରୁଥିବା ଜାତୀୟ ଅଣ୍ଡା ସମନ୍ୱୟ କମିଟି ବା ଏନ୍ଇସିସିର ମନୋମୁଖୀ କାରବାର ଯୋଗୁଁ ଖାଉଟି ଶୋଷଣର ଶିକାର ହେଉଥିବା ବେଳେ ବିପୁଳ କ୍ଷତି ସହୁଛନ୍ତି ରାଜ୍ୟର ପ୍ରାୟ ୨ଶହ ଲେୟର ଚାଷୀ । କୁକୁଡ଼ା ଅଣ୍ଡା ଚାଷରେ ପ୍ରାୟ ୫୦ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ପରୋକ୍ଷ ନିଯୁକ୍ତି ହୋଇଥିବା ବେଳେ ଏମାନଙ୍କ ଭବିଷ୍ୟତ ମଧ୍ୟ ସଙ୍କଟରେ ।

ଗୋଟିଏ ଅଣ୍ଡା ପାଇଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ଟଙ୍କା ୭୦ ପଇସା ଥିବା ବେଳେ ଖାଉଟି ସାଢେ ୬ଟଙ୍କାରୁ ୭ଟଙ୍କାରେ କିଣୁଛନ୍ତି । ହେଲେ ଚାଷୀଙ୍କ ଠାରୁ ବ୍ୟବସାୟୀ ଅଣ୍ଡା କ୍ରୟ କରିବାର ଦର ହେଉଛି ୩ଟଙ୍କା ୭୦ ପଇସା । ଉତ୍ପାଦନ ଖର୍ଚ୍ଚ ଠାରୁ କମ୍ ଦରରେ ଅଣ୍ଡା ବିକୁଥିବାରୁ ଚିନ୍ତାରେ ଅଛନ୍ତି ଚାଷୀ । ବ୍ୟାଙ୍କର ଋଣ ନେଇ ଫାର୍ମ ଚଳାଉଥିବା ଅନେକ ଚାଷୀ ଏବେ ଋଣ ସୁଝିନପାରି ବ୍ୟାଙ୍କର ଡ଼ିଫଲ୍ଟର ତାଲିକାରେ । ଏନ୍ଇସିସିର ମନମାନୀ ଓ ବଡ଼ ବେପାରୀଙ୍କ ସହ ମଧୁଚନ୍ଦିକା ଯୋଗୁଁ ଓଡ଼ିଶାର ଚାଷୀ ହତାଶ ହୋଇଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ଏପ୍ରିଲ ୪ ତାରିଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବ ଅଲ୍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ । ସଂଘର ଅଧ୍ୟକ୍ଷ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତି ହୋଇଛି ।

ଏଥିସହିତ ପଢ଼ନ୍ତୁ: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରଶଂସା