ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ, ଅଣ୍ଡା ଦର ବୃଦ୍ଧି ପାଇଁ ପ୍ରସ୍ତାବ ରଖିବେ NECC ସିଇଓ

1 min read

ଖୋର୍ଦ୍ଧା: ଦେଶବ୍ୟାପୀ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ କରୁଛି ଜାତୀୟ ଅଣ୍ଡା ସମନ୍ୱୟ ସମିତି- NECC । ଏନ୍ଇସିସିର ମନମାନି ଓ ପକ୍ଷପାତିତା ଯୋଗୁଁ ରାଜ୍ୟର ଅଣ୍ଡାଚାଷୀଙ୍କୁ ବିଗତ ଦୁଇବର୍ଷ ହେଲା ନାହିଁ ନଥିବା କ୍ଷତି ସହିବାକୁ ପଡ଼ିଛି । ଏପରିକି ବ୍ୟାଙ୍କ ଋଣ ପରିଶୋଧ କରି ନ ପାରି ଅନେକ ନିଜନିଜ କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଣ୍ଡା ଚାଷୀଙ୍କ ୬ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ଅଣ୍ଡାଦିଆ କୁକୁଡ଼ା ଚାଷୀ ସଂଘ । ରାସ୍ତାରେ ଅଣ୍ଡା ଫୋପାଡି ଓ ଏନ୍ଇସିସିର ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛି ସଂଘ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସଂଘ ।

ଅଣ୍ଡା ଦିଆ କୁକୁଡା ଚାଷ ବେଶ୍ ବ୍ୟୟବହୁଳ । ତେବେ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ରାଜ୍ୟସ୍ତରରେ ନୁହେଁ ବରଂ ଜାତୀୟ ଅଣ୍ଡା ସମନ୍ୱୟ ସମିତି ବା ଏନ୍ଇସିସି ଭଳି ଏକ ଘରୋଇ ସଂସ୍ଥା ଜରିଆରେ ହୋଇଥାଏ । ଗୋଟିଏ ଅଣ୍ଡା ଉତ୍ପାଦନ ପାଇଁ ରାଜ୍ୟରେ ଚାଷୀଙ୍କୁ ୪ ଟଙ୍କା ୮୦ ପଇସାର ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଏନ୍ଇସିସି ଚାଷୀଙ୍କ ପାଇଁ ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ କରିଛି ମାତ୍ର ୩ ଟଙ୍କା ୮୬ପଇସା । ଫଳରେ ଅଣ୍ଡା ପ୍ରତି ଚାଷୀଙ୍କୁ ଏକଟଙ୍କା ଲେଖାଏଁ କ୍ଷତି ସହିବାକୁ ପଡୁଛି । ଅପରପକ୍ଷେ କୁକୁଡା ଛୁଆ ପିଛା ଏନ୍ଇସିସି ରାଜ୍ୟର ଚାଷୀଙ୍କୁ କୌଣସି ସୁବିଧା ନଦେଇ ପାଲଟା ୧ଟଙ୍କା ଲେଖାଏଁ କମିଶନ ନେଉଛି ।

ଏଥିରୁ ଓଡିଶାରୁ ବାର୍ଷିକ କେବଳ ୫୦ ଲକ୍ଷ ଟଙ୍କା ନେଉଛି ଏନଇସିସି । ଏନ୍ଇସିସିର ମନମାନି ଓ ପକ୍ଷପାତିତା ବିରୋଧରେ ନିଖିଳ ଓଡିଶା ଲେୟର ଫାର୍ମର୍ସ ସଂଘ ଆଜି ରାଜରାସ୍ତାକୁ ଓହ୍ଲାଇଛି । ୧୬ନମ୍ବର ଜାତୀୟ ରାଜପଥରେ ରାଜ୍ୟ ବାହାରର ଅଣ୍ଡାଗାଡ଼ିକୁ ଅଟକାଇଛି ସଂଘ । ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ବିକ୍ଷୋଭ କରି ଅଣ୍ଡା ଦର ବୃଦ୍ଧି ଦାବି କରିଛନ୍ତି ।

ରାଜ୍ୟ ସରକାର ଅଣ୍ଡାଚାଷୀଙ୍କୁ ସବସିଡି ଦେଇ ପ୍ରୋତ୍ସାହିତ କରୁଥିବା ବେଳେ ଏକଛତ୍ରବାଦ ଚଳାଇଛି ଏନ୍ଇସିସି । ପରିଣାମ ସ୍ୱରୂପ ରାଜ୍ୟର ଅଣ୍ଡାଚାଷୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଅଣ୍ଡାଦର ବୃଦ୍ଧି କରି ଚାଷୀଙ୍କ ଦାବୀ ପୂରଣ ଦିଗରେ ଏନ୍ଇସିସି ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ସଂଘ । ସଂଘର ଦାବି ଆଗରେ ମୁଣ୍ଡ ନୁଆଁଇଛି ଏନ୍ଇସିସି । ବର୍ତ୍ତମାନ ପରିସ୍ଥିତିରେ ଅଣ୍ଡାର ମୂଲ୍ୟ ବୃଦ୍ଧି ଜରୁରୀ । ଅଣ୍ଡା ଶୀଘ୍ର ନଷ୍ଟ ହୋଇଯାଉଥିବା ସାମଗ୍ରୀ ହୋଇଥିବା ବେଳେ ବିଭିନ୍ନ କାରଣରୁ ଦେଶରେ ଅଣ୍ଡାର ଚାହିଦା ହ୍ରାସ ପାଇଥିବା କହିଛନ୍ତି ଏନ୍ଇସିସି ହାଇଦ୍ରାବାଦର ସିଇଇଓ ।

ତେବେ ଓଡିଶା ଅଣ୍ଡା ଚାଷୀଙ୍କ ଦାବି ଓ ଆନ୍ଦୋଳନ ପରେ ଆସନ୍ତା ୧୫ତାରିଖ ସୁଦ୍ଧା ଅଣ୍ଡାର ମୂଲ୍ୟ ୩ଟଙ୍କା ୮୬ପଇସାରୁ ୪ଟଙ୍କା ୫୦କୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି । ଅଣ୍ଡାର ମୂଲ୍ୟ ୪ଟଙ୍କା ୫୦ପଇସାକୁ ବୃଦ୍ଧି ପାଇଲେ ମଧ୍ୟ କ୍ଷତି ଭରଣା କରିବା ରାଜ୍ୟ ଅଣ୍ଡା ଚାଷୀଙ୍କ ପାଇଁ କଷ୍ଟ ବୋଲି କହିଛନ୍ତି ଏନ୍ଇସିସି ଓଡିଶା ଜୋନ୍ ଅଧ୍ୟକ୍ଷ । ଏନ୍ଇସିସି ମନମାନି ବନ୍ଦ ହେବା ସହ ଓ୍ୱାନ୍ ନେସନ ଓ୍ୱାନ୍ ରେଟ ଦାବି କରିଛନ୍ତି ରାଜ୍ୟର ଅଣ୍ଡା ଦିଆ କୁକୁଡା ଚାଷୀ ।