ପାକିସ୍ତାନରେ ୧୨ କୋଟି ୫୦ ଲକ୍ଷ ଲୋକ ଗରିବ: ପଦକ୍ଷେପ ନନେଲେ ଭୋକରେ ମରିଯିବେ ୪୦ ପ୍ରତିଶତ ଲୋକ

ଇସଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନରେ ଲୋକେ ଭୋକରେ ହେଉଛନ୍ତି ଆଉଟୁ ପାଉଟ । ନା ଲୋକଙ୍କ ପାଖରେ ଖାଇବାକୁ ଅଛି ପଇସା, ନା ପିନ୍ଧିବାକୁ ଅଛି ଲୁଗା । ପିଲାଙ୍କୁ ଦୁଇ ବେଳା ଖାଇବାକୁ ଦେବାକୁ ବାପାମାଆ ଅସମର୍ଥ । ଋଣରେ ବୁଡ଼ି ଥିବା ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗରିବଙ୍କ ସଂଖ୍ୟା । ଗରିବ ସୀମାରେଖା ତଳେ ଅଛନ୍ତି ୧୨ କୋଟି ୫୦ ଲକ୍ଷ ଲୋକ । ବିଶ୍ବ ବ୍ୟାଙ୍କ୍ ପାକିସ୍ତାନକୁ ଆର୍ଥିକ ସ୍ଥିତିକୁ ନେଇ ଜାରି କରିଛି ଚେତାବନୀ ।

ବିଶ୍ବବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି, ପାକିସ୍ତାନ ସଙ୍କଟ ଚରମସ୍ତରରେ ପହଞ୍ଚିଛି । ଯେଉଁଠାରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହେବ । ଦେଶରେ ଆର୍ଥିକ ସ୍ଥିରତା ଆଣିବା ଲାଗି କୌଣସି ଉପାୟ କର ନଚେତ ଭୋକ ଉପାସରେ ରହିବାକୁ ପ୍ରସ୍ତୁତ ରୁହ ବୋଲି କହି ଚରମବାଣୀ ଶୁଣାଇ ଦେଇଛି ବିଶ୍ବବ୍ୟାଙ୍କ । ଏହାସହ ବିଶ୍ବବ୍ୟାଙ୍କ ପାକିସ୍ତାନକୁ ପ୍ରଶ୍ନ କରିଛି, ୪୦ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଜନସଂଖ୍ୟା ସହ ରହିବାକୁ ଚାହୁଁଛ ନା ଉଜ୍ଜଳ ଭବିଷ୍ୟତ ଲାଗି କିଛି ନୂଆ ନୀତି ଆଣିବାକୁ ଚେଷ୍ଟା କରୁଛ ।

ନିର୍ବାଚନ ପୂର୍ବରୁ ଆଗାମୀ ସରକାରକୁ ନୂଆ ନୀତି ଆପଣାଇବା ଉପରେ କାର୍ଯ୍ୟ କରିବାକୁ କୁହାଯାଇଛି । ଦେଶର ଅବସ୍ଥା ଋଣଦାତା ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ବାରା ସମ୍ପୂର୍ଣ୍ଣ ରୂପେ ଠିକ୍ କରାଯାଇପାରିବ ନାହିଁ । ସ୍ଥିରତା ଆଣିବାକୁ ହେଲେ ଦେଶ ଭିତରେ ହିଁ କଠୋର ନୀତି ଲାଗୁ କରିବା ଆବଶ୍ୟକ ବୋଲି ପାକିସ୍ତାନକୁ କହିଛି ବିଶ୍ବବ୍ୟାଙ୍କ ।

ପାକିସ୍ତାନ ପାଇଁ ନୀତିଗତ ସୁଧାର ଆଣିବା ଲାଗି ସମୟ ଆସିଛି । ନୂତନ ସରକାର ଆସିବା ପୂର୍ବରୁ ବିଚାର ବିମର୍ଶ କରିବା ସହ ନୂଆ ପଲିସି ଜାରି କରିବାକୁ ପଡ଼ିବ । ପାକିସ୍ତାନ ଦରଦାମ ବୃଦ୍ଧି, ବିଜୁଳୀ ସଂକଟ, ଜଳବାୟୁ ସଂକଟ, ପୋଷଣ ଅଭାବ ଆଦି ବିଭିନ୍ନ ପରିସ୍ଥିତିରେ ଛନ୍ଦି ହୋଇପଡ଼ିଛି । ଏସବୁ ଭିତରେ ଜଳବାୟୁ ବିକାଶ କ୍ଷେତ୍ରରେ ବିଶ୍ବରେ ସବୁଠାରୁ ତଳସ୍ତରର ଦେଶ ସୂଚୀରେ ରହିଛି ପାକିସ୍ତାନ । ମାନବ ବିକାଶ କ୍ଷେତ୍ରରେ ଏସିଆର ବିଭିନ୍ନ ଦେଶଠାରୁ ବହୁ ପଛରେ ପାକିସ୍ତାନ । ଆଫ୍ରିକାର କୌଣସି ଏକ ଛୋଟ ଦେଶ ସହ ପାକିସ୍ତାନ ସମାନ ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଯେଉଁଠି ୪୦ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି । ବିଶ୍ବର ବିଭିନ୍ନ ଦେଶ ତୁଳନାରେ ପାକିସ୍ତାନରେ ପ୍ରାୟ ୨ କୋଟି ୩ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି ।