ପୁଣି ଡରାଇଲାଣି କୋରୋନା, ୩ ମାସର ରେକର୍ଡ ଭାଙ୍ଗିଲା ସଂକ୍ରମଣ

ନୂଆଦିଲ୍ଲୀ: ଦେଶକୁ ପୁଣି ଡରାଇଲାଣି କୋରୋନା  । ୨୪ ଘଣ୍ଟାରେ ୮୮୨୨ ନୂଆ ସଂକ୍ରମିତ ମାମଲା ସାମନାକୁ ଆସିଛି  । ଗତ ୩ ମାସ ମଧ୍ୟରେ ଆଜି ୩୩.୮ ପ୍ରତିଶତ ଅଧିକ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି  ।  ଗତ ତିନି ଦିନରୁ ଦୈନିକ ସଂକ୍ରମଣ କ୍ରମାଗତ ୮ ହଜାରରୁ ଅଧିକ ରହୁଛି  । ଏହା ପୂର୍ବରୁ ଗତ ଜୁନ ୧୦ ଓ ୧୧ ରେ  ୮,୩୨୮ ଓ ୮,୫୮୨ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିଲା  ।

ମହାରାଷ୍ଟ୍ରରେ ସର୍ବାଧିକ ୭୮୭ ସଂକ୍ରମଣ ମାମଲା ରହିଛି । ଏହାପରେ ଦିଲ୍ଲୀରେ ୬୧୬, କେରଳରେ ୪୦୬, କର୍ଣ୍ଣାଟକରେ ୧୯୬ ଜଣ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି  । ଉତ୍ତରାଖଣ୍ଡ ଓ ତ୍ରିପୁରାରେ ଆକ୍ଟିଭ ମାମଲା କମ ରହିଛି ।୨୪ ଘଣ୍ଟାରେ ୫୭୧୮ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି  ।

ସେପଟେ କୋରୋନାରେ ଦିନକରେ ୧୫ ଜଣ ପ୍ରାଣ ହରାଇଛନ୍ତି । କେରଳରୁ ୭ଜଣ, ମହାରାଷ୍ଟ୍ରରୁ ୪, ଦିଲ୍ଲୀରୁ ୨, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଜଣେ ଲେଖାଏଁ କୋରୋନାରେ ମୃତ୍ୟୁବରଣ କରିଛନ୍ତି  । ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ୪,୪୦,୨୭୮ ଟେଷ୍ଟ କରାଯାଇଥିବାବେଳେ ୧୩,୫୮,୬୦୭ ଜଣ ଭ୍ୟାକ୍ସିନ ନେଇ ସାରିଛନ୍ତି  ।