୮୦ଫୁଟ ବୋରୱେଲରେ ଫସିଛି ରାହୁଲ, ସାହାଯ୍ୟ ମାଗିଲା ଛଡିଶଗଡ
1 min readରାୟପୁର: ଓଡିଶାରୁ ଛଡିଶଗଡ ଗଲା NDRF ଟିମ । ୮୦ ଫୁଟ ବୋରୱେଲରେ ଫସିଛି ୧୧ ବର୍ଷୀୟ ନାବାଳକ ରାହୁଲ ସାହୁ । ଉଦ୍ଧାର ପାଇଁ ଶୁକ୍ରବାର ରାତିରେ ଓଡିଶାରୁ ଏନଡିଆରଏଫ ଟିମ ଛତିଶଗଡ ଯାଇଥିବା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।
ଘଟଣାସ୍ଥଳରେ SDRF ଓ NDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାରକାରୀ ଟିମ ବୋରୱେଲ ଭିତରକୁ ପାଇପ ସାହାଯ୍ୟରେ ଲଗାତାର ଅମ୍ଳଜାନ ଯୋଗାଉଛି । ବର୍ତ୍ତମାନ ସୁଦ୍ଧା ୮ ରୁ ୧୦ଟି ସିଲିଣ୍ଡର ଖାଲି ହୋଇ ସାରିଲାଣି । ଦଉଡି ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ରାହୁଲ ପାଖକୁ ପଠାଉଛି ଉଦ୍ଧାରକାରୀ ଟିମ । ତା ପରିବାର ଲୋକେ ଗର୍ତ୍ତ ମୁହଁରୁ ରାହୁଲ ସହ କଥା ହେଉଛନ୍ତି । ଖୁବଶୀଘ୍ର ନାବାଳକ ଉଦ୍ଧାର ହେବ ବୋଲି କହିଛି ପ୍ରଶାସନ ।
ଜାଞ୍ଜଗିର ଚମ୍ପା ଜିଲ୍ଲାର ରାହୁଲ ସାହୁ ଖେଳୁଥିବା ସମୟରେ ଖୋଳା ଯାଇଥିବା ପରିତ୍ୟକ୍ତ ବୋରୱେଲ ଭିତରେ ପଡି ଯାଇଥିଲା । ୮୦ ଫୁଟ ତଳୁ ଶିଶୁର କାନ୍ଦ ଶୁଣି ପରିବାର ଲୋକେ ଉଦ୍ଧାର ପାଇଁ ସହାୟତା ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
କିନ୍ତୁ ସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଓଡିଶାର ସହାୟତା ନେଇଛି ଛତିଶଗଡ । ଏନେଇ ଟ୍ବିଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।