ପ୍ରୟାଗରାଜ ମହାକୁମ୍ଭରେ ଟଳିଲା ବଡ଼ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ୧୭ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ : ପ୍ରୟାଗରାଜ ମହାକୁମ୍ଭରେ ଟଳିଲା ବଡ଼ ଦୁର୍ଘଟଣା । ହଠାତ୍ ବୁଡିବାକୁ ଲାଗିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୧୭ ଶ୍ରଦ୍ଧାଳୁ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମହାକୁମ୍ଭ ମେଳା । ନିକଟ ଅତୀତରେ ମହାକୁମ୍ଭରେ ପ୍ରବଳ ଭିଡ଼ ଯୋଗୁଁ ଅନେକ ଦୁର୍ଘଟଣା ଘଟିସାରିଲାଣଶି । ଏହାରି ମଧ୍ୟରେ ଅଳ୍ପକରେ ଟଳିଛି ବଡ଼ ବିପଦ । ସୂଚନା ଅନୁସାରେ ସଙ୍ଗମ ମଝିରେ ବୁଡ଼ ପକାଇବାକୁ ଯାଉଥିବା ଏକ ଡଙ୍ଗା ହଠାତ୍ ବୁଡ଼ିବାକୁ ଆରମ୍ଭ କଲା । ଯେଉଁଥିରେ ପାଖାପାଖି ୧୭ଜଣ ଥିଲେ । ଏନଡିଆରଏଫ୍ ଏବଂ ଏସଡିଆରଏଫ କର୍ମୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।
ଏନଡିଆରଏଫର ଜଣେ କର୍ମଚାରୀ କହିଛନ୍ତି ଯେ, ୧୭ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡିବାକୁ ଲାଗିଥିଲା । ସେହି ସମୟରେ ଡଙ୍ଗାରେ ଥିବା ଭକ୍ତ ମାନେ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଲାଗିଥିଲେ । ଏହି ସମୟରେ ଘଟଣାସ୍ଥଳରୁ ଅଳ୍ପ ଦୂରରେ ପାଟ୍ରୋଲିଂ କରୁଥିବା ଏନଡିଆରଏଫ୍ ଉଦ୍ଧାରକାରୀଦଳ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସମସ୍ତ ଭକ୍ତଙ୍କୁ ଉଦ୍ଧାର କରିଥିଲେ ।