ବିପଦ ସଂକେତ ଉପରେ ବୈତରଣୀ, ଭଦ୍ରକରେ ଏନଡିଆରଏଫ ଓଡ୍ରାଫ

ଭଦ୍ରକ: ଲଘୁଚାପ ଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀର ଉପରମୁଣ୍ଡରେ ବଢି ଚାଲିଛି ବନ୍ଯାପାଣି। ଫଳରେ ଆନନ୍ଦପୁର ନିକଟରେ ବୈତରଣୀ ନଦୀ ବିପଦ ସଂକେତ  ଛୁଇଁଥିବା ବେଳେ ଆଖୁଆପଦା ନିକଟରେ ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ଆଖୁଆପଦାରେ ବିପଦ ସଂକେତ 17 ଦଶମିକ 83 ଥିବା ବେଳେ ବର୍ତ୍ତମାନ 17 ଦଶମିକ 87 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ଅନ୍ଯପଟେ ହଦଗଡ ଡ୍ଯାମର ୩ଟି ଗେଟ ଖୋଲା ଥିବାରୁ ସାଳନ୍ଦୀ ନଦୀର ବନ୍ଯାଜଳ ଦୃତଗତିରେ ବୃଦ୍ଧି ପାଇଛି । ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବନ୍ଯା ମୁକାବିଲା ପାଇଁ ଚାନ୍ଦବାଲି ଓ ତିହିଡି ବ୍ଲକର ଆରଡି, କାଁପଡାରେ ଏନଡିଆରଏଫ ସହ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

ବନ୍ୟା ହେଲେ ଭଦ୍ରକ ଜିଲ୍ଲାର ଧାମନଗର , ଭଣ୍ଡାରିପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ । ତେବେ ପୂର୍ବ ବନ୍ୟାର ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବା ବେଳେ ଏବେ ପୁଣି ବୈତରଣୀରେ ବନ୍ୟା ସ୍ଥିତି ସଙ୍ଗୀନ ।

ଚାଷ ଜମି ଗୁଡିକରୁ ବନ୍ୟା ପାଣି କମ ହୋଇନଥିବା ବେଳେ ପୁଣି ବିଭିନ୍ନ ଏସକେପ ଦେଇ ବନ୍ୟା ଜଳ ଚାଷ ଜମିକୁ ମାଡିଛି । ସେପଟେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢାବଳଙ୍ଗ । ବିପଦ ସଙ୍କେତ 5.50ମିଟର ଥିଲା ବେଳେ ବାଲେଶ୍ବରର ବସ୍ତା ମଥାନୀ ଠାରେ ସକାଳ 6 ଟା ସୁଦ୍ଧା 6.90 ମିଟରରେ ଜଳ ପ୍ରବାହିତ ହେଉଛି। ବାଲେଶ୍ବର ବୁଢାବଳଙ୍ଗ ନଦୀର ପୁଟୁକାଶାସନ ଦୁର୍ବଳ ନଦୀବନ୍ଧକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।