୫୦୦ ଏୟାରବସ୍ ବିମାନ କିଣିବାକୁ ଇଣ୍ଡିଗୋର ମେଗା ଡିଲ୍

ନନ୍ଦିଘୋଷ ବ୍ୟୁରୋ: ଇଣ୍ଟରଗୋଲ୍ବ ଏଭିଏସନ ଅର୍ଥାତ ଇଣ୍ଡିଗୋ ସୋମବାର ୫୦୦ ଏୟାରବସ୍ ଏ୩୨୦ ବିମାନ କିଣିବା ନେଇ ଘୋଷଣା କରିଛି । ଏଥିସହିତ ଇଣ୍ଡିଗୋ ଗୋଟିଏ ଥରରେ ଏତେ ବଡ଼ ଅର୍ଡର ଦେଇଥିବା ପ୍ରଥମ ଭାରତୀୟ ଏୟାରଲାଇନ ଭାବେ ପରିଗଣିତ ହୋଇଛି । ବିମାନ ପରିଧି ସମ୍ପ୍ରସାରଣ ଦିଗରେ ଇଣ୍ଡିଗୋର ଏହା ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଏହି ବିମାନଗୁଡ଼ିକର ଡେଲିଭରି ୨୦୩୦ରୁ ୨୦୩୫ ମଧ୍ୟରେ ହେବାର ଆଶା କରାଯାଉଛି । କମର୍ସିଆଲ ଏଭିଏସନ ହିଷ୍ଟ୍ରିର ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଅର୍ଡର ଅଟେ । ଇଣ୍ଡିଗୋ ପୂର୍ବରୁ ଏହି ରେକର୍ଡ ଏୟାର ଇଣ୍ଡିଆ ନାଁରେ ଥିଲା ।

କୁହାଯାଉଛି ଯେ ୫୦୦ ଏୟାରବସ ଏ୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ କିଣିବା ପାଇଁ ଇଣ୍ଡିଗୋ ୫୦ ଆରବ ଡଲାର ଅର୍ଥାତ ୪.୦୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ । ଅବଶ୍ୟ ଅର୍ଡରର ବାସ୍ତବିକ ମୂଲ୍ୟ କିଛି କମ୍ ହୋଇପାରେ, କାରଣ ସାଧାରଣତଃ ବଡ଼ ଅର୍ଡରରେ ବହୁତ ଡିସକାଉଣ୍ଟ ମିଳିଥାଏ । ଇଣ୍ଡିଗୋର ଏହି ଅର୍ଡରରେ ଏ୩୨୦ ନିୟୋ, ଏ୩୨୧ ନିୟୋ ଏବଂ ଏ୩୨୧ ଏକ୍ସଏଲଆର ଏୟାରକ୍ରାଫ୍ଟ ସାମିଲ ଅଛି । ବର୍ତ୍ତମାନ ଇଣ୍ଡିଗୋ ପାଖରେ ୩୦୦ରୁ ଅଧିକ ବିମାନ ଅଛି । ଏହା ବ୍ୟତୀତ ତା ପାଖରେ ମୋଟ ୪୮୦ ବିମାନର ପୂର୍ବ ଅର୍ଡର ମଧ୍ୟ ଅଛି, ଯାହାକି ୨୦୩୦ ଶେଷ ସୁଦ୍ଧା ଡେଲିଭର ହେବା ନେଇ ଆଶା  କରାଯାଉଛି ।

୨୦୦୬ ମସିହାରେ ସ୍ଥାପିତ ହେବା ପରେ ଇଣ୍ଡିଗୋ ଏପର୍ଯ୍ୟନ୍ତ ସୁଦ୍ଧା ଏୟାରବସର ସହ ମୋଟ ୧୩୩୦ ବିମାନର ଡିଲ୍ କରିସାରିଛି । ପ୍ରକାଶଥାଉକି, ଚାରି ମାସ ପୂର୍ବରେ ଟାଟା ଗ୍ରୁପର ଏୟାରଲାଇନ୍ ଏୟାର ଇଣ୍ଡିଆ ୪୭୦ ବିମାନର ବିଶ୍ୱର ସବୁଠୁ ବଡ଼ ଏଭିଏସନ ଡିଲ୍ ସାଇନ କରିଥିଲା । ଏବେ ଏହି ରେକର୍ଡ ଇଣ୍ଡିଗୋ ନିଜ ନାଁରେ କରିନେଇଛି । ଏୟାର ଇଣ୍ଡିଆକୁ ଡିଲରେ ଫ୍ରାନ୍ସର କମ୍ପାନୀ ଏୟାରବସଠୁ ୨୫୦ ଏୟାରକ୍ରାଫ୍ଟ ଏବଂ ଆମେରିକୀୟ କମ୍ପାନୀ ବୋଇଙ୍ଗଠୁ ୨୨୦ ଏୟାରକ୍ରାଫ୍ଟ ମିଳିବ ।