ଆମେରିକା ବିମାନ ବନ୍ଦରରେ ଭାରତୀୟ ଛାତ୍ରଙ୍କୁ ତଳେ ପକାଇ ହାତକଡ଼ି ପିନ୍ଧାଇଲା ପୋଲିସ

2 min read

ନନ୍ଦିଘୋଷ ବ୍ୟରୋ: ଆମେରିକା ବିମାନ ବନ୍ଦରରେ ଜଣେ ଭାରତୀୟ ଛାତ୍ରଙ୍କ ପ୍ରତି ଅପରାଧୀ ଭଳି ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତାଙ୍କୁ ତଳେ ଶୁଆଇ ହାତକଡ଼ି ପିନ୍ଧା ଯାଉଥିବା ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓକୁ କୁନାଲ ଜୈନ ନାମକ ଜଣେ ବ୍ୟକ୍ତି ଏକ୍ସରେ ପୋଷ୍ଟ କରିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଦୂତାବସ ମଧ୍ୟ ଏହା ଉପରେ ବିବୃତ୍ତି ରଖିଛି । ଭାରତୀୟମାନେ ଏହା ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

କୁନାଲ ଏହି ଭିଡିଓକୁ ସେୟାର କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଟ୍ୟାଗ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ର ଜଣଙ୍କ ବିମାନ ଯାତ୍ରା କରିବା ପୂର୍ବରୁ ଏପରି ଘଟଥିଲା । ସେ ଆଉ ଯାତ୍ରା କରିପାରିଲେ ନାହିଁ ।


ଛାତ୍ରଙ୍କୁ ହାତକଡ଼ି ପିନ୍ଧା ଯାଇଥିଲା, ସେ କାନ୍ଦୁଥିଲେ ଏବଂ ତାଙ୍କ ସହ ଅପରାଧି ଭଳି ବ୍ୟବହାର କରାଯାଉଥିଲା । ସେ ହରିୟାଣଭି ଭାଷାରେ କଥା ହେଉଥିଲେ । କହୁଥିଲେ, ମୁଁ ପାଗଳ ନୁହେଁ, ଲୋକେ ମୋତେ ପାଗଳ ପ୍ରମାଣ କରିବାକୁ ଚାହୁଁଛନ୍ତି ।

ଏ ନେଇ ଭାରତୀୟ ଦୂତାବାସ କହିଛି ଯେ, ଆମେରିକାରେ ଥିବା ଭାରତୀୟ ଦୂତାବାସ ନାଗରିକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏ ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛୁ ।