ମୋ ପ୍ରାର୍ଥିତ୍ୱ ପାଇଁ ମହିଳା ଓ ଆଦିବାସୀ ଖୁସି ଅଛନ୍ତି: ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଗୋଟେ ଦିନ ପୂର୍ବରୁ ଅର୍ଥାତ ରବିବାର ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଦେଶର ସବୁଠୁ ବଡ଼ ସାମ୍ବିଧାନିକ ପଦ ପାଇଁ ମୋର ନାମାଙ୍କନ ଦ୍ୱାରା ସାରା ଦେଶର ଆଦିବାସୀ ଏବଂ ମହିଳା ଉତ୍ସାହିତ ଓ ଖୁସି ଅଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦ ଭବନରେ ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ହୋଇଥିଲା । ଏହି ଅବସରରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଧ୍ୟ ସଂସଦ ଭବନରେ ପହଞ୍ଚିଥିଲେ । ମୁର୍ମୁ ଏନଡିଏ ସାଂସଦଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଚୟନ କରିଥିବାରୁ ଧନ୍ୟବାଦ ଦେଇଥିଲେ ।

ମୁର୍ମୁ ବୈଠକରେ କହିଛନ୍ତି ଦେଶରେ ୭୦୦ରୁ ଅଧିକ ବର୍ଗର ପ୍ରାୟ ୧୦ କୋଟି ଆଦିବାସୀ ଅଛନ୍ତି, ଏବଂ ସମସ୍ତେ ମୋ ପାର୍ଥିତ୍ୱ ପାଇଁ ଖୁସି ଅଛନ୍ତି । ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ବିଜେପି ସାଂସଦ ହେମା ମାଳିନୀ ଏବଂ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ । ନିର୍ବାଚନ ପୂର୍ବରୁ ୧୮ ଜୁଲାଇରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ସଂସଦରେ ମକଡ୍ରିଲ କରାଯାଇଛି । ସଂସଦୀୟ ଅନୁଭବ ରଖିଥିବା ନେତା ଏବଂ ଦଳର ଆଇନ ସମ୍ବନ୍ଧୀୟ ସଦସ୍ୟମାନେ ସାଂସଦଙ୍କୁ ଭୋଟ ଦେବାର ପ୍ରକ୍ରିୟା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ ।

୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ବୋଲି ଚର୍ଚ୍ଚା ହେୁଛି । ମୁର୍ମୁଙ୍କ ପ୍ରତି ଅନେକ ଅଣ ଏନଡିଏ ଦଳର ସମର୍ଥନ ମଧ୍ୟ ଦେଖିବାକୁ ମିଳିଛି । ଜେଏମଏମ, ବିଏସପି, ବିଜେଡି ଭଳି ଦଳ ସିଧାସଳଖ ସମର୍ଥନ ଜାହିର କରିଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି ବିଜେପି ଓ ତାର ସହଯୋଗୀ ଦଳ ପକ୍ଷରୁ । ସୂଚନାଥାଉକି, ଆଗାମୀ ରାଷ୍ଟ୍ରପତି ପାଇଁ ୧୮ ଜୁଲାଇରେ ଭୋଟିଂ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଗୋଟିଏ ପଟେ ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।