ମଣିପୁର କ୍ରାଇମ୍ ଫାଇଲ୍, ଭିଡିଓ ଭାଇରାଲର ସପ୍ତାହେ ପରେ ପହଞ୍ଚିଲା ଏନସିଡବ୍ଲ୍ୟୁ ଟିମ୍

ଇମ୍ଫାଲ: ସପ୍ତାହେ ପରେ ଏନସିଡବ୍ଲ୍ୟୁର ନିଦ ଭାଙ୍ଗିଲା । ବର୍ବର ଭିଡିଓ ଭାଇରାଲର ସପ୍ତାହେ ପରେ ମଣିପୁରରେ ଏନସିଡବ୍ଲ୍ୟୁ ଟିମ୍ । ତିନି ଜଣିଆ ଟିମ୍ ମଣିପୁରରେ ପହଞ୍ଚିଥିବା ବେଳେ ଉଭୟ ସମ୍ପ୍ରଦାୟର ପୀଡ଼ିତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ମହିଳାଙ୍କ ପ୍ରତି ଏଭଳି ଅମାନୁଷିକ ଓ ବର୍ବରତା ଘଟଣା ପୂର୍ବରୁ ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ଜଣାଥିଲା । ହେଲେ ଆୟୋଗ ଘଟଣାର ଯାଞ୍ଚ କରି ନଥିଲେ କି ସତ୍ୟତା ଜାଣିବାକୁ ମଣିପୁରକୁ ଟିମ୍ ମଧ୍ୟ ପଠାଇ ନଥିଲେ ।

ମଣିପୁରରେ ହେଉଥିବା ଘୃଣିତ ଅପରାଧ, ହିଂସା ସମ୍ପର୍କରେ ଗତ ଜୁନ ୧୨ ତାରିଖରୁ ଅବଗତ ଥିଲେ ମହିଳା ଆୟୋଗ । କିନ୍ତୁ ଘଟଣାର ସତ୍ୟତା ଜାଣିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଇ ଚୁପଚାପ ବସିପଡ଼ିଥିଲେ । ମଣିପୁର ଏବଂ ଦେଶ ବାହାରୁ ବିଭିନ୍ନ ସଂଗଠନ ଏଭଳି ଖବରକୁ ନେଇ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଖୁଲମଖୁଲା ଦୁଇ ମାସ ଧରି ଖୋଲା ଆକାଶ ତଳେ ଘୁରି ବୁଲୁଥିଲେ ଅଭିଯୁକ୍ତ । ଭିଡିଓ ଭାଇରାଲ ହୋଇ ନଥିଲେ ରାଜ୍ୟ ସରକାର ଘଟଣାକୁ ଚାପିଦେବାରେ ସକ୍ଷମ ହୋଇଥିଲେ ।