ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼ିଗଲାଣି ଛାତ୍ର ଆତ୍ମହତ୍ୟା ହାର

1 min read

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଛି ଛାତ୍ର ଆତ୍ମହତ୍ୟା ଘଟଣା । ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି ଛାତ୍ରଙ୍କ ଆତ୍ମହତ୍ୟା । ଏପରିକି ଜନସଂଖ୍ୟା ବୃଦ୍ଧି ହାରକୁ ଅତିକ୍ରମ କରିଯାଇଛି ଛାତ୍ର ଆତ୍ମହତ୍ୟା ହାର । ଜାତୀୟ ଅପରାଧ ରେକର୍ଡ ବ୍ଯୁରୋ ବା ଏନସିଆରବିର ରିପୋର୍ଟ ଆଧାରରେ ଏହି ଚିନ୍ତାଜନକ ତଥ୍ଯ ପଦାକୁ ଆସିଛି । ଦେଶରେ ଛାତ୍ର ଆତ୍ମହତ୍ଯା ଏବେ ମହାମାରୀ ଆକାର ଧାରଣ କରିଛି । ବାର୍ଷିକ ଆଇସି-୩ ସମ୍ମିଳନୀ ଅବସରରେ ଏନସିଆରବି ତଥ୍ଯକୁ ଆଧାର କରି ଏହା କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି, ଦେଶରେ ସାମଗ୍ରିକ ଆତ୍ମହତ୍ଯା ହାର ବାର୍ଷିକ ୨ ପ୍ରତିଶତ ବଢୁଥିବା ବେଳେ କେବଳ ଛାତ୍ର ଆତ୍ମହତ୍ଯା ହାର ବଢୁଛି ୪ ପ୍ରତିଶତ । ତେବେ ଯଦି ପ୍ରକୃତ ଆତ୍ମହତ୍ଯା ସଂଖ୍ଯା ହିସାବକୁ ନିଆଯାଏ ତେବେ ଏହି ହାର ବଢିବା ଆଶଙ୍କା ରହିଛି । ଗତ ଦୁଇ ଦଶନ୍ଧିରୁ ଛାତ୍ର ଆତ୍ମହତ୍ଯା ୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ୨୦୨୨ରେ ମୋଟ ଛାତ୍ରଛାତ୍ରୀ ଆତ୍ମହତ୍ଯା ମଧ୍ଯରୁ ଛାତ୍ରଙ୍କ ହାର ଥିଲା ୫୩ ପ୍ରତିଶତ । ୨୦୨୧ରୁ ୨୦୨୨ ମଧ୍ଯରେ ଛାତ୍ରଙ୍କ ଆତ୍ମହତ୍ଯା ହାର ବଢିଥିଲା ୬ ପ୍ରତିଶତ । ସେହି ସମୟ କାଳରେ ଛାତ୍ରୀ ଆତ୍ମହତ୍ଯା ବଢିଥିଲା ୭ ପ୍ରତିଶତ ।

ରିପୋର୍ଟରେ କୁହାଯାଇଛି, ଜନସଂଖ୍ଯା ବୃଦ୍ଧି ହାର ତୁଳନାରେ ଛାତ୍ରଛାତ୍ରୀ ଆତ୍ମହତ୍ଯା ହାର ବଢିଛି । ଗତ ଦଶନ୍ଧିରେ ୦ରୁ ୨୪ ବର୍ଷ ବୟସ୍କ ଯୁବକଙ୍କ ସଂଖ୍ଯା ୫୮୨ ନିୟୁତରୁ ୫୮୧ ନିୟୁତକୁ ହ୍ରାସ ପାଇଥିଲା । ମାତ୍ର ଗତ ଦଶନ୍ଧିରେ ଛାତ୍ରଛାତ୍ରୀ ମୃତ୍ଯୁ ହାର ୬ ହଜାର ୬୫୪ରୁ ୧୩ ହଜାର ୪୪କୁ ବୃଦ୍ଧି ପାଇଥିଲା । ଛାତ୍ରଛାତ୍ରୀ ଆତ୍ମହତ୍ଯା କ୍ଷେତ୍ରରେ ଶୀର୍ଷରେ ରହିଛି ମହାରାଷ୍ଟ୍ର । ପଛକୁ ରହିଛି ତାମିଲନାଡୁ ଓ ମଧ୍ଯପ୍ରଦେଶ । ଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ଯାର ଏକ ତୃତୀୟାଂଶ ଆତ୍ମହତ୍ଯା ଏହି ତିନି ରାଜ୍ଯରେ ଘଟୁଛି । ଆତ୍ମହତ୍ଯା ନେଇ ଚର୍ଚ୍ଚାରେ ରହିଥିବା ରାଜସ୍ଥାନର ସ୍ଥାନ ରହିଛି ୧୦ରେ । ଦକ୍ଷିଣ ଭାରତ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆତ୍ମହତ୍ଯା ହାର ଜାତୀୟ ହାରର ୨୯ ପ୍ରତିଶତ ରହିଛି । ମାନସିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଶକ୍ତିଶାଳୀ ନ କରିବା କାରଣରୁ ଏହି ଆତ୍ମହତ୍ଯା ହାର ବଢୁଛି ବୋଲି କହିଛନ୍ତି ଆଇସି-୩ ମୁଭମେଣ୍ଟର ପ୍ରତିଷ୍ଠାତା ଗଣେଶ କୋହଲି ।